ଆପ୍‌ ରୋକିବ ଅପରାଧ,ଏନ୍‌ଆଇଟି ଛାତ୍ରଙ୍କ ନୂଆ ଷ୍ଟାର୍ଟ୍‌ଅପ୍‌ ‘ଇ-ୱାର୍ଣ୍ଣ‌ ସିଷ୍ଟମ୍‌’

ରାଉରକେଲା: ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଘଟିବା ପରେ ହିଁ ଘଟଣା ବିଷୟରେ ଜଣାପଡ଼ୁଥିଲା। ଚିରାଚରିତ ଢ଼ଙ୍ଗରେ ସିସିଟିଭି ଫୁଟେଜ୍‌ ଯାଞ୍ଚପରେ ତଦନ୍ତ ଓ ଆନୁସଙ୍ଗିକ ପ୍ରକ୍ରିୟା ଆରମ୍ଭ ହେଉଥିଲା। ଏଥର ଆଉ ଏତେ ସବୁ ଲମ୍ବା ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବନି। ସମ୍ଭାବ୍ୟ ଚୋରି, ଡକାୟତି, ଲୁଟ୍‌, ହିଂସା ଆଦି ଘଟଣା ଘଟୁଥିବା ସମୟରେ ହିଁ ଜାଣିହେବ। ଏହାକୁ ସମ୍ଭବ କରି ଦେଖାଇଛନ୍ତି ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି୍‌)ର ଦୁଇ ପିଏଚ୍‌ଡି ଛାତ୍ର। ଏହି ଦୁଇ ଛାତ୍ର କୁତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ)ରେ ପରିଚାଳିତ ଏକ ମେସିନ୍‌ ବିକଶିତ କରିଛନ୍ତି। ଯାହାକି ଆପ୍ଲିକେସନ ଜରିଆରେ କାର୍ଯ୍ୟକ୍ଷମ ହେବ।

ଏହି ମେସିନ କେବଳ ସମ୍ଭାବ୍ୟ ଅପରାଧିକ କାର୍ଯ୍ୟକଳାପ ନୁହେଁ, ବରଂ ଟ୍ରାଫିକ୍‌ ନିୟନ୍ତ୍ରଣ, ପ୍ରଦୁଷଣ ମାପିବା ସହ ସତର୍କ ସୂଚନା ପ୍ରଦାନ, ଦୁର୍ଘଟଣା ଘଟିଲେ ସ୍ବତଃସ୍ପୃତଭାବେ ପୁଲିସ, ଆମ୍ବୁଲାନ୍ସ, ପରିବାର ସଦସ୍ୟଙ୍କୁ ସୂଚନା ଦେବ। ଏହି ବହୁମୁଖୀ ମେସିନ୍‌ର ପ୍ୟାଟେଣ୍ଟ୍‌ ମିଳି ସାରିଥିବାବେଳେ ଖୁବଶୀଘ୍ର ବଜାର ପ୍ରବେଶ କରିବବୋଲି ସୂଚନା ଦେଇଛନ୍ତି ଦୁଇଯୁବ ଉଦ୍ଭାବକ। ଏହି ମେସିନ ମୋଟ୍‌ ୪ଟି ବର୍ଗରେ କାମ କରିବ। ପ୍ରଥମଟି ହେଲା, ଆପେଆପେ ଅପରାଧିକ କାର୍ଯ୍ୟକଳାପ ଚିହ୍ନଟ କରିବା। କୁତ୍ରିମ ବୁଦ୍ଧିମତା ପରିଚାଳିତ କ୍ୟାମେରା ମାଧ୍ୟମରେ ଘଟଣା ଘଟୁଥିବା ସମୟର ଫୁଟେଜ୍‌ କଏଦ କରିହେବ।

ଏହା କେବଳ ଫୁଟେଜ୍‌ କଏଦ କରିବନି, ବରଂ କ୍ୟାମେରା ଖଞ୍ଜିଥିବା ବ୍ୟକ୍ତି/ମାଲିକଙ୍କ ପାଖକୁ ଆପ୍‌ ମାଧ୍ୟମରେ ସତର୍କ ସୂଚନା ବି ପଠାଇବ। ଯଦି ଦୁବୃତ୍ତ କୌଣସି ମାରଣାସ୍ତ୍ର ଧରି ଘରେ ପଶନ୍ତି, ଯଦି ଅଜଣା ବ୍ୟକ୍ତି ଘ‌ର ସମ୍ମୁଖରେ ପଇଁତରା ମାରନ୍ତି, ତା’ହେଲେ ଏସବୁ ସନ୍ଦିଗ୍ଧ ଗତିବିଧି ବିଷୟରେ ମଧ୍ୟ ସୂଚନା ପଠାଇବ, ଯଦ୍ବାରା ସମ୍ଭାବ୍ୟ ଅପରାଧିକ କାର୍ଯ୍ୟକଳାପକୁ ରୋକାଯାଇପାରିବ। ଏହାର ଅନ୍ୟତମ ପ୍ରମୁଖ ବିଶେଷତ୍ବ ହେଲା, ସଡ଼କ ଦୁର୍ଘଟଣାରେ ହେଉଥିବା ଧନଜୀବନ କ୍ଷୟକ୍ଷତିକୁ ବହୁମାତ୍ରାରେ ହ୍ରାସ କରିବା। ପୂର୍ବରୁ ଦୁର୍ଘଟଣା ବିଷୟରେ କେହି ଜଣେ ସୂଚନା ଦେଲାପରେ ହିଁ ପୁଲିସ ଘଟଣାସ୍ଥଳରେ ପହଞ୍ଚୁଥିଲା ଏବଂ ଆମ୍ବୁଲାନ୍ସର ବ୍ୟବସ୍ଥା କରି ଡାକ୍ତରଖାନାକୁ ରେଫର୍‌ କରୁଥିଲା। ତେବେ ବିଭିନ୍ନ ସମୟରେ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସାର ଅଭାବ, ବେଡ୍‌ ଅଭାବ ଆଦି ବିଭିନ୍ନ ସମସ୍ୟା ଯୋଗୁଁ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ତ୍ବରିତ ଚିକିତ୍ସା ମିଳିପାରୁନଥିଲା।  ଯାହାଦ୍ବାରା ଏଥିରେ ଅଯଥା ବିଳମ୍ବ ଘଟିବା ସହ ଜୀବନହାନୀର ଆଶଙ୍କା ସର୍ବାଧିକ ରହୁଥିଲା। ତେବେ ଏହି ଆପ୍‌ ମାଧ୍ୟମରେ ଏହାକୁ ରୋକା ଯାଇପାରିବ।

ଏହି ‘ଆକ୍ସଡେଣ୍ଟ୍‌ ଡିଟେକ୍ସନ’ ମେସିନ୍‌କୁ କାର୍‌ରେ ଖଞ୍ଜା ଯିବାପରେ ଏହା ଧାର୍ଯ୍ୟ ବେଗଠାରୁ ଅଧିକ ଗତିରେ ଗଲେ ଗାଡ଼ି ଚାଳକଙ୍କୁ ସତର୍କ କରାଇବ। ନିଦ ଯୋଗୁଁ ଘୁମେଇ ପଡ଼ୁଥିବା ଚାଳକକୁ ମଧ୍ୟ ସାଇରନ୍‌ ବଜାଇ ଜାଗ୍ରତ କରିବ। ଏହାବାଦ୍‌ ଯଦି ଗାଡ଼ ଦୁର୍ଘଟଣାର ଶିକାର ହୁଏ, ତା’ହେଲେ ସ୍ବତଃସ୍ପୃତଭାବେ ମେସିନ୍‌ରୁ ଆପ୍‌ ମାଧ୍ୟମରେ ନିକଟସ୍ଥ ପୁଲିସ ଷ୍ଟେସନ, ଆମ୍ବୁଲାନ୍‌ସ/ହସ୍ପିଟାଲ, ପରିବାରବର୍ଗଙ୍କୁ ସୂଚନା ପଠାଇବ। ଘଟଣା ଘଟିବାର ନିମିଷକ ମଧ୍ୟରେ ସୂଚନା ମିଳିବା ଦ୍ବାରା ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ସମ୍ଭବ ହୋଇପାରିବ। ଏହି ଆପ୍‌ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ମଧ୍ୟ ସହାୟକ ହେବ। ବର୍ତ୍ତମାନ ଟ୍ରାଫିକ୍‌ ସିଗ୍‌ନାଲ ଚିରାଚରିତ ପ୍ରକ୍ରିୟାରେ କାର୍ଯ୍ୟ କରୁଛି। ଅର୍ଥାତ୍‌, ଟ୍ରାଫିକ୍‌ ଛକର ଚାରି ପଟର ରାସ୍ତାକୁ ସମାନ ସମୟ ଦିଆଯାଉଛି। ଫଳରେ ଗୋଟିଏ ପଟ ଦେଇ ଏକାଧିକ ଗାଡ଼ି ଆସୁଥିଲେ ମଧ୍ୟ ସମାନ ସମୟ ପାଉଥିବାବେଳେ ଅନ୍ୟ ପଟରୁ ଗୋଟିଏ ବି ଗାଡ଼ି ଆସୁନଥିଲେ ସୁଦ୍ଧା ସେମାନଙ୍କୁ ସମୟ ଦିଆଯାଉଛି। ଫଳରେ ଟ୍ରାଫିକ୍‌ ଛକ ଗୁଡ଼ିକରେ ଯାନବାହାନର ଲମ୍ବା ଭିଡ଼ ଦେଖିବାକୁ ମିଳିଥାଏ। ଏହାଦ୍ବାରା ଅଯଥା ସମୟ ଅପଚୟ ହୋଇଥାଏ।

ତେବେ ଏହି ମେସିନ୍‌ ମାଧ୍ୟମରେ ଏହାକୁ ପରିବର୍ତ୍ତନ କରାଯାଇପାରିବ। ଗାଡ଼ିର ସଂଖ୍ୟାକୁ ଦେଖି ତଦନୁଯାୟୀ ଆବଶ୍ୟକ ସମୟ ଦିଆଯାଇପାରିବ। ଅର୍ଥାତ୍‌ ଯେଉଁ ପଟ ଦେଇ ଅଧିକ ଯାନବାହନ ଆସୁଥିବା ସେମାନଙ୍କୁ ଅଧିକ ସମୟ ଓ ଯେଉଁ ପଟ ଦେଇ କମ୍‌ ଯାନ ଆସୁଥିବା ସେଇଠି ସ୍ବଳ୍ପ ସମୟ ଦିଆଯିବ। ଏହାଦ୍ବାରା ଅଯଥା ଟ୍ରାଫିକ୍‌ ସମସ୍ୟାକୁ ଦୂର କରାଯାଇପାରିବ। କେବଳ ଏତିକିରେ ସୀମିତ ରହିନି ଏହି ମେସିନ୍‌ର କାର୍ଯ୍ୟକାରୀତା, ଏହି ମେସିନ ପ୍ରଦୂଷଣର ମାନ ବିଷୟରେ ସଚେତନ କରିବାସହ କମ୍‌ ପ୍ରଦୂଷିତ ଅଞ୍ଚଳଦେଇ ଗତି କରିବାକୁ ବାଟ ଦେଖାଇବାରେ ମଧ୍ୟ ସକ୍ଷମ। ବର୍ତ୍ତମାନ ସରକାରଙ୍କ ଦ୍ବାରା ପ୍ରାୟ ୫/୬ଟି ମାନଦଣ୍ଡକୁ ତର୍ଜମା କରି ବାୟୂର ମାନ ନିରୀକ୍ଷଣ କରାଯାଉଛି। କିନ୍ତୁ ଏହି ମେସିନ ୧୪ଟି ମାନଦଣ୍ଡକୁ ବିଶ୍ଲେଷଣ କରି ଏସଂକ୍ରାନ୍ତୀ ସୂଚନା ଦେବ। କେଉଁ ଅଞ୍ଚଳରେ ପ୍ରଦୂଷଣ ମାତ୍ରା କେତେ ସେନେଇ ସଠିକ୍‌ ସୂଚନା ଦେବା ସହ କମ୍‌ ପ୍ରଦୂଷିତ ଅଞ୍ଚଳ ଦେଇ ଯାତ୍ରା କରିବାକୁ ମଧ୍ୟ ଦିଗ୍‌ଦର୍ଶନ ଦେବ।

Sambad

ଏଭଳି କରିସ୍ମା କରୁଥିବା ମେସିନ୍‌ ସୃଷ୍ଟି କରିଥିବା ଏନ୍‌ଆଇଟିର ଦୁଇ ପିଏଚ୍‌ଡି ଛାତ୍ର ହେଉଛନ୍ତି କେ. ବିନୋଦ କିରଣ ଓ ହର୍ଷିତ ଶ୍ରୀବାସ୍ତବ। ଏନ୍‌ଆଇଟି ରାଉରକେଲାର ପ୍ରଫେସର ଡଃ. ସନ୍ତୋଷ ଦାଶ ଓ ଆଇଆଇଏସ୍‌ସି (ବାଙ୍ଗାଲୋର)ର ପ୍ରଫେସର ସୁଧାନ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିକଶିତ କରିଛନ୍ତି। ଏହି ମେସିନ୍‌ରେ କୁତ୍ରିମ ବୁଦ୍ଧିମତାକୁ ବ୍ୟବହାର କରାଯାଇଛି। ଏହା ଆପ୍‌ ଜରିଆରେ ବ୍ୟବହାରକାରୀଙ୍କୁ ସେବା ଯୋଗାଇବ। ଉଲ୍ଲେଖଯୋଗ୍ୟ, ଏହି ଚାରୋଟି ବର୍ଗ ପାଇଁ ଚାରୋଟି ପୃଥକ୍‌ପୃଥକ୍‌ ମେସିନ ସୃଷ୍ଟି କରାଯାଇଛି। ଏହାସହି ଆପ୍‌କୁ ମଧ୍ୟ ଅଲଗା କରାଯାଇଛି, ଯାହା ଦ୍ବାରା ଇଚ୍ଛୁକ ବ୍ୟକ୍ତି ସବୁ ମେସିନକୁ ନ କିଣି କେବଳ ଆପ୍‌କୁ କିଣି ଏହାର ସେବା ପାଇପାରିବେ। ଏହାସହ ଜଣେ ସମଗ୍ର ମେସିନ୍‌ ଓ ଆପ୍‌କୁ ମଧ୍ୟ କିଣିବାପାରିବେ। ଏହିସବୁ ମେସିନ୍‌/ଆପ୍‌ର ମୂଲ୍ୟ ଢ଼େର୍‌ କମ୍‌ ଥିବା କହିଛନ୍ତି ବିନୋଦ ଓ ହର୍ଷିତ।

ଏନ୍‌ଆଇଟିରେ ଗବେଷଣାକୁ ତ୍ବରାନ୍ବିତ କରିବାକୁ ଗତ ୨୦୧୭ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ‘‘ଇମ୍‌ପାକ୍ଟିଂ ରିସର୍ଚ୍ଚ ଇନୋଭେସନ ଆଣ୍ଡ୍‌  ଟେକ୍ନୋଲୋଜି (ଇମ୍‌ପ୍ରିଣ୍ଟ୍‌)’’ ଯୋଜନାରେ ୪ କୋଟି ଟଙ୍କାର ଅନୁଦାନ ଆସିଥିଲା। ଏହାପରେ ଦୁଇ ପିଏଚ୍‌ଡି ଛାତ୍ର ଏହି ପ୍ରକଳ୍ପ ନେଇ ଗବେଷଣା ଆରମ୍ଭ କରିଥିଲେ। ଅନୁଷ୍ଠାନର ଫାଉଣ୍ଡେସନ ଫର୍‌ ଟେକ୍ନୋଲୋଜି ଆଣ୍ଡ୍‌ ବିଜିନେସ ଇନକ୍ୟୁବେସନ(ଏଫ୍‌ଟିବିଆଇ)ରେ ଗବେଷଣାକୁ ତ୍ବରାନ୍ବିତ କରି ପରବର୍ତ୍ତୀ ସମୟରେ ‘ଇ-ୱାର୍ଣ୍ଣ‌୍ ସିଷ୍ଟମ୍‌’ ନାମକ ଏକ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରିଥିଲେ। ଷ୍ଟାର୍ଟଅପ୍‌ ଇଣ୍ଡିଆ ଓ ଷ୍ଟାର୍ଟ‌୍ଅପ୍‌ ଓଡ଼ିଶା ପଞ୍ଜିକୃତ ଏହି ‘ଇ-ୱାର୍ଣ୍ଣ‌୍ ସିଷ୍ଟମ୍‌’ ଉଭୟ ରାଜ୍ୟ ଓ ଦେଶସ୍ତରରେ ଏକାଧିକ କୃତିତ୍ବ ଅର୍ଜନ କରିସାରିଲାଣି। ଆଇଆଇଟି ଦିଲ୍ଲୀରେ ଆୟୋଜିତ ଷ୍ଟାର୍ଟ‌୍ଅପ୍‌ ମେଳାରେ ଅପ୍‌ଟିକ୍ସ‌ ବର୍ଗରେ ଶ୍ରେଷ୍ଠ ଷ୍ଟାର୍ଟ‌୍ଅପ୍‌ ପୁରସ୍କାର ପାଇଛି।

ସମ୍ବନ୍ଧିତ ଖବର