କେବେ ସୁଧୁରିବ ବ୍ୟବସ୍ଥା? ଏସ୍‌ସିବି ଏକ୍‌ମୋ‌ରେ ଚିକିତ୍ସିତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

କଟକ: ‘ମୋ’ ଭଉଣୀ ଚାଲିଗଲା, କିନ୍ତୁ ଅନ୍ୟ କାହାର ଜୀବନ ଆଉ ନଯାଉ। ସରକାର କୋଟିଏ ଟଙ୍କାର ଚିକିତ୍ସା ବ୍ୟବସ୍ଥା‌ ମାଗଣାରେ ଦେଲେ, ହେଲେ ଔଷଧ, ରକ୍ତ, ପ୍ଲାଜମା ପାଇଁ ଆମକୁ ଧରାଇ ଦେଉଛନ୍ତି ଚିଠା। ଯେଉଁଥିପାଇଁ ବ୍ଲଡ ବ୍ୟାଙ୍କ ଆଉ କାଉଣ୍ଟରରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ବି ସେତକ ପାଇବା ସମ୍ଭବ ହେଉ ନାହିଁ। ଏଭଳି ବ୍ୟବସ୍ଥାର କ’ଣ ସରକାର ପରିବର୍ତ୍ତନ କରି ପାର‌ିବେ ନାହିଁ?’ ଆଜି ଏଭଳି ପ୍ରଶ୍ନ କରିଛନ୍ତି ଗତ ରାତିରେ ଏସସିବି ଏକମୋ ୟୁନିଟରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିବା ବଲାଙ୍ଗୀରର ଜ୍ୟୋତିର୍ମୟୀ ପଣ୍ଡା (୩୮)ଙ୍କ ଭଉଣୀ ସୁଜାତା ମିଶ୍ର। ଜ୍ୟୋତିର୍ମୟୀଙ୍କୁ ଗତ ମାସ ୨୯ ତାରିଖ ଦିନ ଏକ୍‌ମୋ ସପୋର୍ଟ ପାଇଁ ଜଗତ୍‌ପୁରର ସଦ୍‌ଗୁରୁ ହସ୍ପିଟାଲରୁ ଗ୍ରିନ୍‌ କରିଡରରେ ଏସ୍‌ସିବି ଏକ୍‌ମୋ ୟୁନିଟ୍‌କୁ ଅଣା ଯାଇଥିଲା। ତେବେ ହୃଦ୍‌ଘାତରେ ତାଙ୍କର ଗତରାତିରେ ମୃତ୍ୟୁ ଘଟିଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେ ୩ ମାସ ତଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ କଟକର ସଦଗୁରୁ ହସ୍ପିଟାଲ୍‌କୁ ଅଣାଯାଇଥିଲା।
ସେହିଭଳି ଗଲା ଶନିବାର ଦିନ ଏସ୍‌ସିବିରେ ଏକ୍‌ମୋ ଚିକିତ୍ସାରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଜଗନ୍ନାଥ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ମଧ୍ୟ ରକ୍ତ ଯୋଗାଡ଼ କରିବା ପାଇଁ ଦୁଇ ଦିନ ନୟାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ସ୍ବର୍ଗତ ପ୍ରଧାନଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସେମାନଙ୍କୁ ବି ପଜିଟିଭ ଗ୍ରୁପର ଏକ ରକ୍ତ ପ୍ଲାଜମା ଆଣିବାକୁ କୁହା ଯାଇଥିଲା। ମାତ୍ର ସେ ଦୁଇଟି ରକ୍ତ ଭଣ୍ଡାରକୁ ଯାଇ ରକ୍ତ (ପ୍ଲାଜ୍‌ମା) ନ ପାଇ ନିରାଶ ହୋଇଥିଲେ। ଏକାଧିକ ରକ୍ତର ଆବଶ୍ୟକତା ଥିବାରୁ ରକ୍ତଭଣ୍ଡାର କର୍ତ୍ତୃପକ୍ଷ ସେମାନଙ୍କୁ ‘ଡୋନର୍‌’ ‌ଯୋଗାଡ କରିବାକୁ କହିଥିଲେ। ମାତ୍ର ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା। ମୃତ୍ୟୁର କାରଣ ଯାହା ବି ହୋଇଥାଉ ଏଭଳି ବ୍ୟବସ୍ଥାକୁ ନେଇ ମୃତ ପ୍ରଧାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ଦେଶର ପ୍ରଥମ ମାଗଣା ଏକ୍‌ମୋ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେଇ ଓଡିଶା ସରକାର ଯେଉଁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ଏଭଳି ଘଟଣା ଏବେ ତାହା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଉଛି। ଏସ୍‌ସିବିରେ ଗତ ମାସ ୨୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୯ଟି ଏକ୍‌ମୋ ମେସିନ୍‌କୁ ଲୋକାର୍ପିତ କରିଥିଲେ। ଏହି ୟୁନିଟ୍‌ ଏସ୍‌ସିବିରେ ଲୋକର୍ପଣ ହେବାପରେ ୪ଜଣଙ୍କୁ ଏକ୍‌ମୋ ଚିକିତ୍ସା ମିଳିଥିବା ବେଳେ ସେଥିରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ୨ଜଣ ଚିକିତ୍ସିତ ହେଉଛନ୍ତି।
ଏକ୍‌ମୋ ରୋଗୀଙ୍କ ଚିକିତ୍ସା ଅତି ସମ୍ବେଦନଶୀଳ। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରାଯାଇଥାଏ। ଏଭଳି ସ୍ଥିତିରେ ଯଦି ସାଧାରଣ ରୋଗୀ ଭଳି ସେମାନଙ୍କ ସଂପର୍କୀୟଙ୍କୁ ରକ୍ତ ଆଉ ଔଷଧ ଚିଠା ଧରାଇ ଦିଆଯାଏ ତେବେ ସେମାନେ କାଉଁଣ୍ଟରକୁ ଯାଇ ଲାଇନ ଲଗାଇ ଅଥବା ଡୋନର ଯୋଗାଡ଼ କରି ବ୍ଲଡ ବ୍ୟାଙ୍କକୁ ଯାଇ ରକ୍ତ ସଂଗ୍ରହ କଲା ବେଳକୁ ରୋଗୀର ସ୍ଥିତି କିଭଳି ରହି ଥିବ? କଟକ ବଡ ମେଡିକାଲର ନିଜସ୍ବ ବ୍ଲଡ୍ ବ୍ୟାଙ୍କ ରହିଛି। ବର୍ତ୍ତମାନ ସ୍ଥିତିରେ ମାତ୍ର ୪ ଜଣ ଗୁରୁତର ରୋଗୀ ଏକ୍‌ମୋ ପାଇଁ ଆସିଛନ୍ତି। ସେମାନଙ୍କୁ କଣ ବଡ ମେଡିକାଲ କର୍ତ୍ତୃପକ୍ଷ ନିଜ ପକ୍ଷରୁ ରକ୍ତ ‌ବା ପ୍ଲାଜମା ଯୋଗାଇ ପାରି ନଥାନ୍ତେ? ଏଭଳି ବ୍ୟବସ୍ଥାକୁ ନେଇ ଏବେ ଅସନ୍ତୋଷ ବଢୁଥିବା ବେଳେ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ଅନ୍ୟପଟେ ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ କହିଛନ୍ତି ଯେ ଏକମୋ ସପୋର୍ଟରେ ଥିବା ରୋଗୀଙ୍କୁ ତୁରନ୍ତ ରକ୍ତ ଦେବା ପାଇଁ କୁହାଯାଇଛି। ରକ୍ତ ଦେବାରେ କିଛି ସମସ୍ୟା ନାହିଁ।

ସମ୍ବନ୍ଧିତ ଖବର