ପ୍ରକାଶକ, ଲେଖକ ଓ ପାଠକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଆବଶ୍ୟକ: ସୌମ୍ୟରଂଜନ

ତୃତୀୟ ବାଗଦେବୀ ସାହିତ୍ୟ ମହୋତ୍ସବ

କଟକ: ବାଗଦେବୀ ସାହିତ୍ୟ ଟ୍ରଷ୍ଟ ପକ୍ଷରୁ ତୃତୀୟ ବାଗଦେବୀ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମ ରେଭେନ୍ସା ବିଶ୍ୱବିଦ୍ୟାଳୟ ସେଭେନ ପିଲାର୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟକ ଭାବେ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ମୁଖ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ଡକ୍ଟର ହୃଷିକେଶ ମଲ୍ଲିକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ସଞ୍ଜୟ କୁମାର ନାୟକ ଯୋଗଦେଇଥିଲେ।

ଏହି ଅବସରରେ  ସ୍ମରଣିକା ‘ଅକ୍ଷରା’ ଉନ୍ମୋଚିତ ହୋଇଯାଇଛି। ଏହାସହ ଡକ୍ଟର ନେତାଜୀ ଅଭିନନ୍ଦନଙ୍କ ରଚିତ ‘କେବେ ପାହିବ ଏ ରାତି’ ପୁସ୍ତକ ଉନ୍ମୋଚନ ହୋଇଯାଇଛି। କବି ନିରଞ୍ଜନ ପାଢ଼ୀଙ୍କ କବିତା ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଉତ୍ସବର ନିର୍ଦେଶିକା ମମତା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରୁଥିବାବେଳେ ସଂଯୋଜକ ବିଜୟ ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବର ସଂଚାଳକ ଡକ୍ଟର ନେତାଜୀ ଅଭିନନ୍ଦନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କୁ ବାଗଦେବୀ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ପଙ୍କଜ କୁମାର ସାହୁଙ୍କ ବାଗଦେବୀ ସୃଜନୀ ପୁରସ୍କାର ପ୍ରଦାନ କରାଯାଇଛି।
ଭାଷା ଓ ଭାବକୁ ନେଇ ଯେଉଁ ଖେଳ ଖେଳାଯାଏ ତାହା ହେଉଛି ସାହିତ୍ୟ। ସମାଜରେ ଭାଷା ଏବେ ଦୁର୍ବଳ ହୋଇଯାଉଛି। ରାଜନୀତିକୁ ଘୃଣା କରି ସାହିତ୍ୟ ତା ଭୂମିକା ବହନ କରି ପାରିବ ନାହିଁ। ପ୍ରକାଶକ, ଲେଖକ ଓ ପାଠକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ଉଦଘାଟକ ସୌମ୍ୟରଂଜନ ପଟ୍ଟନାୟକ।

ସମ୍ବନ୍ଧିତ ଖବର