ବିକାଶ ଭବନରେ ନିଶାଡ଼ିଙ୍କ ଆଡ଼ା: କାମ ଦେଉନି ସିସି କ୍ୟାମେରା, ଗେଟ୍‌ରେ ପଡ଼ୁନି ତାଲା

କଟକ: ବାଦାମବାଡିସ୍ଥିତ ସିଏମ୍‌ସିର ବିକାଶ ଭବନ ଏବେ ପାଲଟିଛି ଅସାମାଜିକଙ୍କ ଆଡ଼ା। ସଂଧ୍ୟା ହେଲେ ଏହାର ପରିସରରେ ନିଶାଡିଙ୍କ ଆସର ଜମୁଛି। ବିକାଶ ଭବନରେ କାର୍ଯ୍ୟାଳୟ ସମୟ ଗଡିବା ପରେ ଏହା ମଧ୍ୟରେ ନାନା ଅସାମାଜିକ କାମ ହେଉଥିଲେ ବି ଏହାର ସୁରକ୍ଷା ଦିଗରେ ସିଏମ୍‌ସି କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ଭବନର ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲାଗିଥିଲେ ବି ସେଗୁଡିକ କାମ କରୁ ନାହିଁ କି ଏହାର ଗେଟ୍‌ରେ ତାଲା ପଡୁ ନାହିଁ। ପୂର୍ବରୁ ବିକାଶ ଭବନରୁ ଫାଇଲ୍‌ ଚୋରିରୁ ଆରମ୍ଭ କରି ଗାଡିର ଯନ୍ତ୍ରାଂଶ ଚୋରି ଅଭିଯୋଗ ହୋଇଥିଲା।

ଏତେ ସବୁ ବିଷୟ ଘଟିବା ପରେ ବି କର୍ତ୍ତୃପକ୍ଷ ଏହାର ସୁରକ୍ଷା ପ୍ରତି ଗୁରୁତ୍ବ ନଦେବା ବିଷୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ମହାନଗର ନିଗମର ବିକାଶ ଭବନ ପରିସରରେ ଥିବା କମିସନରଙ୍କ ସମ୍ମିଳନୀ କକ୍ଷ ନିକଟରେ ପ୍ରତି ସଂଧ୍ୟାରେ ନିଶାଡିଙ୍କ ଆସର ଜମୁଛି। ପରିସର ଭିତରେ ମଦ ପିଇ ଜନ୍ମମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ପଛରେ ସାଧାରଣ ଲୋକଙ୍କ ପାଇଁ ଥିବା ଶୌଚାଳୟ ଓ କଣ୍ଟ୍ରୋଲ ରୁମ ନିକଟରେ ବୋତଲ ଗଦା କରୁଛନ୍ତି।

ପରିସରର ବିଭନ୍ନ ସ୍ଥାନରେ ଏପରି ମଦ ବୋତଲ ଗଦା ହୋଇଥିବାର ଦେଖିବାକୁ ମିଳୁଛି। ପୂର୍ବରୁ ଏହାର ପରିସରରୁ ଚୋରି ହୋଇଥିବା ବେଳେ ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ଅଫସିର ସୁରକ୍ଷା ପାଇଁ ଏହାର ପରିସରରେ ଏକାଧିକ ସିସି କ୍ୟାମେରା ଲାଗିଥିଲେ ବି କୌଣସି ଗୋଟିଏ କାମ କରୁନାହିଁ। ବିକାଶ ଭବର ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ଓ ସିସି କ୍ୟାମେରା ଥିଲେ ବି ସେମାନେ ଏ ଦିଗରେ କାମ କରିବାକୁ ବିଫଳ ହୋଇଛନ୍ତି। ସମସ୍ତ ବିଷୟ କର୍ତ୍ତୃପକ୍ଷ ଜାଣି ନଜାଣିଲା ପରି ରହିଛନ୍ତି।

ସମ୍ବନ୍ଧିତ ଖବର