ସିଏମ୍‌ସିରେ ଭୂତ ନେଉଛନ୍ତି ଭତ୍ତା, ମୃତକଙ୍କ ନାମରେ ମାସ ମାସ ଧରି ଉଠୁଛି ଭତ୍ତା ଟଙ୍କା

କଟକ: ମହାନଗର ନିଗମରେ ଭୂତ ନେଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା। ସିଏମ୍‌ସି ୱାର୍ଡ ନଂ ୧ ଓ ୨‌ରେ ଭୂତ ଭତ୍ତା ନେବା ଚିତ୍ର ପଦାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମଗାଯାଇ ଥିବା ତଥ୍ୟରେ ସିଏମ୍‌ସିରେ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠୁଥିବାର ଜଣା ପଡିଛି। ବର୍ଷକ ପୂର୍ବରୁ ମୃତ ଲୋକଙ୍କ ନାମ‌ରେ ଭତ୍ତା ଦିଆଯାଉଥିବାର ତଥ୍ୟ ମିଳିଛି। ଅନ୍ୟପଟେ ୧ ନଂ ୱାର୍ଡରେ ଜଣେ ମୃତ ସରକାରୀ ଚାକିରିଆଙ୍କ ସ୍ତ୍ରୀଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଉ ଥିବାର ଜଣା ପଡିଛି। ୨ଟି ୱାର୍ଡରେ ୬ରୁ ଅଧିକ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠୁଥିବା ବେଳେ ଏହାର ତଦନ୍ତ କରିଲେ ଏହି ସଂଖ୍ୟା ଅଧିକ ହେବ। ଏପରି ସ୍ଥଳରେ ନିଗମର ଅନ୍ୟ ୱାର୍ଡ ଗୁଡିକରେ ବି ଭୂତ ଭତ୍ତା ନେବା ବିଷୟକୁ ଏଡାଇ ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠୁଥିବା ବେଳେ ଏଥିରେ କେଉଁମାନେ ସାମିଲ ଅଛନ୍ତି ତାହାର ତଦନ୍ତ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁ‌ଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ରାଜ୍ୟ ସରକାରଙ୍କ ମଧୁ ବାବୁ ପେନସନ୍‌ ଯୋଜନାରେ ୬୦ ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ୟ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ୬୦ରୁ ୭୯ ବର୍ଷ ମଧ୍ୟରେ ମାସକୁ ୫ଶହ ଟଙ୍କା ମିଳୁଥିବା ବେଳେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୭ଶହ ଟଙ୍କା ପ୍ରଦାନ କରାଯାଉଛି। ମାତ୍ର ସିଏମ୍‌ସିରେ ଭତ୍ତା ବଣ୍ଟନରେ ଅନିୟମିତତା ହେଉଥିବାର ପୂର୍ବତନ କର୍ପୋରେଟର ଚିତ୍ତ ଦାସଙ୍କ ଦ୍ବାରା ମଗାଯାଇ ଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି। ସିଏମ୍‌ସି ୱାର୍ଡ ନମ୍ବର ୧ ଓ ୨ରେ ୫୯୯ଜଣ ବିଭିନ୍ନ ଭତ୍ତା ପାଉଥିବାର ସୂଚନା ମିଳିଛି। ସୂଚନା ଅଧିକାର ଆଇନ ବଳରେ ଗତ ଅକ୍ଟୋବର ୭ ତାରିଖ ଚିଠି ନଂ-୨୮୮୨‌େର ସିଏମ୍‌ସି ତରଫରୁ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି। ୱାର୍ଡ ନମ୍ବର ୧ର ତ୍ରିଲୋଚନ ଭୋଇଙ୍କ ଗତବର୍ଷ ଡିସେମ୍ବର ୬ରେ, କୌଶଲ୍ୟା ଦେଇଙ୍କ ଗତବର୍ଷ ଅକ୍ଟୋବର ୨୮ରେ, ବୈଦେଶି ସିଂଙ୍କ ଗତବର୍ଷ ଡିସେମ୍ବରରେ, ନରେନ୍ଦ୍ର ଭୋଇଙ୍କ ଚଳିତବର୍ଷ ଏପ୍ରିଲ ୨୩ରେ ମୃତ୍ୟୁ ହୋଇଥିଲା। ମାତ୍ର ଏମାନଙ୍କ ନାମରେ ଭତ୍ତା ଦିଆଯାଉ ଥିବାର ନିଗମର ତଥ୍ୟରେ ସୂଚନା ଦିଆଯାଇଛି।

ସେହିପରି ୱାର୍ଡ ୧ରେ ତୁଳସୀ ଭୋଇ, ଫକିର ବେହେରା, ୱାର୍ଡ ୨ରୁ ବୈଷ୍ଣବ ବେହେରାଙ୍କ ମୃତ୍ୟୁ ହୋଇଥିଲେ ବି ସେମାନଙ୍କ ନାମରେ ଭତ୍ତା ପ୍ରଦାନ କରାଯାଥିବା ଆରଟିଆଇ ତଥ୍ୟରେ ସୂଚନା ମିଳିଛି। ସେହିପରି ୱାର୍ଡ ନଂ ୧ର ଶାନ୍ତିଲତା ମହାନ୍ତିଙ୍କ ସ୍ବାମୀ ପୁଲିସ ବିଭାଗରେ ଚାକିରି କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଶାନ୍ତିଲତା ବିଭାଗରୁ ପେନ୍‌ସନ୍‌ ପାଇବା ସହିତ ମଧୁ ବାବୁ ଭତ୍ତା ମଧ୍ୟ ପାଉଥିବାର ସୂଚନାରୁ ଜଣା ପଡିଛି। ଜଣେ ବ୍ୟକ୍ତି ଲଗାତାର ଭାବେ ୩ ମାସ ଭତ୍ତା ନ ନେଲେ ତାଙ୍କ ନାମ ଭତ୍ତା ତାଲିକାରୁ କଟିଯିବାର ନିୟମ ରହିଛି। ମାତ୍ର ସିଏମ୍‌ସିରେ ହିତାଧିକାରୀଙ୍କ ମୃତ୍ୟୁ ହେବାର ଏକ ବର୍ଷ ପରେ ବି ସେମାନଙ୍କ ନାମରେ ଭତ୍ତା ମିଳିବା ବିଷୟ ବଡ ଦୁର୍ନୀତି ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ସେପଟେ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ମିଳୁଥିବା ବେଳେ ଏହାର ଖବର ପରିବାର ଲୋକଙ୍କ ନିକଟରେ ନାହିଁ। ଭୂତଙ୍କ ନାମରେ ଭତ୍ତା ଉଠାଯାଉ ଥିବା ବେଳେ ଏଥିରେ ସିଏମ୍‌ସିର ଅଧିକାରୀଙ୍କ ଠାରୁ ୱାର୍ଡ ସ୍ତରର କର୍ମଚାରୀଙ୍କ ହାତ ଥିବାର ଅଭିଯୋଗ ହୋଇଛି। ସିଏମ୍‌ସି ୧ ଓ ୨ ନଂ ୱାର୍ଡରେ ୫୯୯ଜଣ ଭତ୍ତା ପାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ନାମରେ ଭତ୍ତା ଟଙ୍କା ଉଠୁଥିବା ବେଳେ ଏହାର ତଦନ୍ତ କରି ଏଥିରେ ସାମିଲ ଥିବା ସିଏମ୍‌ସି ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୱାର୍ଡ ନଂ ୧ର ପୂର୍ବତନ କର୍ପୋରେଟର ଚିତ୍ତ ଦାସ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର