ନିଗମ କର୍ତ୍ତୃପକ୍ଷଙ୍କ ଘରୋଇ ସଂସ୍ଥା ପ୍ରୀତି: ଡ୍ରେନ୍‌ ସଫେଇ କରିବ ସଂସ୍ଥା, ମେସିନ୍‌ କିଣିବ ପୌର ନିଗମ!

କଟକ: କଟକ ପୌର ନିଗମ ଅଞ୍ଚଳରେ ପରିମଳ ଦାୟିତ୍ବ ସହ ପଙ୍କ ସଫେଇ କାମ ୩ଟି ଘରୋଇ ଏଜେନ୍ସିକୁ ଦିଆଯାଇଛି। ଘରୋଇ ସଂସ୍ଥା ପଙ୍କ ସଫେଇ କାମ କରି, ନିଗମରୁ ଟଙ୍କା ନେବ କିନ୍ତୁ ଏଥିପାଇଁ ନିଗମ ମେସିନ୍‌ କିଣିବାକୁ ଯୋଜନା କରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହି ଯୋଜନାକୁ ଅନେକ କର୍ପୋରେଟରଙ୍କ ପକ୍ଷରୁ ବିରୋଧ କରାଯାଇଛି। ପରିମଳ ଟେଣ୍ଡରର ସ୍କୋପ୍‌ ଅଫ୍‌ ୱାର୍କରେ ପଙ୍କ ସଫେଇ କାମ ଥିବା ବେଳେ ନିଗମ କାହା ସ୍ବାର୍ଥରେ ସଫେଇ ମେସିନ୍‌ କିଣିବ ବୋଲି ପ୍ରଶ୍ନ ଉଠିଛି। ସେପଟେ ଗତବର୍ଷ ଅକ୍ଟୋବରରୁ ସହରର ପରିମଳ ଦାୟିତ୍ବ ନେଇଥିବା ୩ଟି ଘରୋଇ ସଂସ୍ଥା ମାର୍ଚ୍ଚ ସୁଦ୍ଧା ଶତପ୍ରତିଶତ ପଙ୍କ ସଫେଇ କରିବାକୁ କୁହାଯାଇଥିଲା। ମାତ୍ର ମାର୍ଚ୍ଚ ଶେଷ ହେବାକୁ ବସିଥିବା ବେଳେ ଏବେ ସୁଦ୍ଧା ମାତ୍ର ୩୦ ପ୍ରତିଶତରୁ କମ ସଫେଇ କାମ ହୋଇଛି। ପୌର ନିଗମର ୫୯ଟି ୱାର୍ଡର ସଫେଇ ସହ ସମସ୍ତ ଡ୍ରେନରୁ ପଙ୍କ ଉଦ୍ଧାର କାମ କରିବାକୁ ପ୍ରତ୍ୟୁଷ, ମଞ୍ଜୁଶ୍ରୀ ଓ ଜାଗୃତି ଘରୋଇ ସଂସ୍ଥାକୁ ଗତ ବର୍ଷ ଅକ୍ଟୋବରରୁ ଦାୟିତ୍ବ ଦିଆଯାଇଛି। ସହର ମଧ୍ୟ ଦେଇ ଯାଇଥିବା ୧୮ କିଲୋମିଟର ଏମ୍‌ଏସ୍‌ଡବ୍ଲୁ ୧ ଓ ୨ ଡ୍ରେନର ସଫେଇ କାମ ଜାଇକା ଉପରେ ଥିବା ବେଳେ ୨୯ କିଲୋମିଟର ବିଏସ୍‌ଡବ୍ଲୁ, ୧୩୦ କିଲୋମିଟର ମେଜର ସର୍ଫେସ ଡ୍ରେନ ଓ ୫୨୦ କିଲୋମିଟର ସର୍ଫେସ ଡ୍ରେନର ସଫେଇ ଦାୟିତ୍ବ ତିନିଟି ସଂସ୍ଥାକୁ ଦିଆଯାଇଛି।

୩ଟି ଘରୋଇ ସଂସ୍ଥା ସଫେଇ କାମ ପାଇଁ ସେମାନଙ୍କ ମେସିନ୍‌ ଓ ଲୋକ ଲଗାଇବାକୁ ପରିମଳ ଟେଣ୍ଡରର ସ୍କୋପ୍‌ ଅଫ୍‌ ୱାର୍କରେ ଥିଲା। ତେବେ ନିଗମର ୨୦୨୩-୨୪ ଆର୍ଥିକ ବଜେଟ ପ୍ରସ୍ତୁତ ପୂର୍ବରୁ ପଙ୍କ ସଫେଇ ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ମେସିନ୍‌ ଯଥା ଛୋଟ ଓ ବଡ ଏକ୍ସାଭେଟର୍ସ, ସ୍ଲାବ୍‌ ଲିପ୍ଟିଂ ମେସିନ ପରି ମେସିନ କିଣିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପୌର ନିଗମ ମେସିନ୍‌ କିଣି ଏହାର ବ୍ୟବହାର ପାଇଁ ଘରୋଇ ସଂସ୍ଥାଙ୍କୁ ଦେଇ ବିଲ୍‌ରେ ଆଡଜଷ୍ଟ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏହାକୁ ନିଗମର ବହୁ କର୍ପୋରେଟର ବିରୋଧ କରିଛନ୍ତି। ସହରର ଡ୍ରେନରୁ ପଙ୍କ ସଫେଇ ପାଇଁ ପରିମଳ ଟେଣ୍ଡରରେ ଲେଖା ଥିବା ବେଳେ ୩ଟି ସଂସ୍ଥା ସବୁ ଜାଣି ଟେଣ୍ଡରରେ ଅଂଶଗ୍ରହଣ କରିଥିଲେ। ମେସିନ କିଣିବା ବିଷୟ ମଧ୍ୟ‌ ଏଥିରେ ଉଲ୍ଲେଖ ଥିଲା। ତେବେ ନିଗମ କର୍ତ୍ତୃପକ୍ଷ କାହା ସ୍ବାର୍ଥରେ ୩ଟି ସଂସ୍ଥାଙ୍କୁ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କାରେ ମେସିନ୍‌ କିଣିବାକୁ ସ୍ଥିର କରିଛନ୍ତି ବୋଲି ୩୪ ନମ୍ବର କର୍ପୋରେଟର ଦୀପକ କୁମାର ଦାସ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର