ଉଠା ଦୋକାନୀଙ୍କ ଉପରେ ଜୁଲମ, ଶହେ ବର୍ଗଫୁଟ ପାଇଁ ଟଙ୍କା ନେଇ ୬୦ ବର୍ଗଫୁଟ ଦେଲା

କଟକ: ବାଲିଯାତ୍ରା ପଡ଼ିଆରେ ଶହେ ବର୍ଗଫୁଟର ପ୍ଲଟ୍‌ ଦେବାକୁ ପ୍ରଶାସନ ଉଠା ଦେକାନୀଙ୍କ ଠାରୁ ୧୨ ଶହ ଟଙ୍କା ନେଲା। ମାତ୍ର ପ୍ଲଟ୍‌‌ ଦେବା ସମୟରେ ୬୦ ବର୍ଗ ଫୁଟର ଜାଗା ଦେଲା। ପ୍ରଶାସନ ପକ୍ଷରୁ ଉଠାଦୋକାନୀଙ୍କ ସହିତ ଏପରି ବ୍ୟବହାରକୁ ଆଜି ଶତାଧିକ କ୍ଷୁଦ୍ର ବ୍ୟବସାୟୀଙ୍କ ପକ୍ଷରୁ ବିରୋଧ କରାଯାଇଛି। ବାରବାଟୀ ଷ୍ଟାଡ଼ିୟମ ହର୍ସ ଗେଟ୍‌ ସାମନା ପଡ଼ିଆରେ ଉଠା ଦୋକାନୀଙ୍କୁ ବସାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ଏଠାରେ ନିୟମିତ ଭାବେ ବସୁଥିବା ‌ଉଠାଦୋକାନୀଙ୍କୁ ଗତକାଲି ତରବରିଆ ଭାବେ ଉଚ୍ଛେଦ କରାଗଲା। ପଡ଼ିଆରେ ବ୍ୟବସାୟ କରିବାକୁ ପ୍ରତ୍ୟେକ ଉଠା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ୧୦ରେ ୧୦ ବର୍ଗଫୁଟ ଜାଗା ଦେବାକୁ ପ୍ରଶାସନ ପକ୍ଷରୁ କୁହାଗଲା। ଏଥିପାଇଁ ପ୍ରଶାସନ ନିକଟରେ ୧୨ ଶହ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଗଲା। ଜାଗା ପାଇବା ପାଇଁ ଗତକାଲି ୨ଶହରୁ ଅଧିକ ବ୍ୟବସାୟୀ ଟଙ୍କା ଦେଇ ରସିଦ୍‌ କାଟିଲେ।

ମାତ୍ର ଆଜି ସେମାନଙ୍କୁ ଶହେ ବର୍ଗଫୁଟ ସ୍ଥାନରେ ୧୦ରେ ୬ ବର୍ଗଫୁଟ ମୋଟ ୬୦ ବର୍ଗଫୁଟର ସ୍ଥାନ ଦିଆଗଲା। ଏହାକୁ ଉଠାଦୋକାନୀ ବିରୋଧ କିରିବା ସମୟରେ ପ୍ରଶାସନ ନାଲି ଆଖି ଦେଖାଇ ସେମାନଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ କରିଛି। ଜାଗା କମ ମିଳିବାରୁ କିଛି ବ୍ୟବସାୟୀ ଦୋକାନ ନକରିବାକୁ ନିଷ୍ପତ୍ତି ନେବାକୁ ମଧ୍ୟ ବାଧ୍ୟ ହୋଇଛନ୍ତି। ହର୍ସ ଗେଟ୍‌ ସମ୍ମୁଖ ପଡ଼ିଆରେ ୪ ଚକିଆ ଗାଡିରେ ବିରିୟାନି ବିକ୍ରି କରିବାକୁ ସ୍ଥିର କରି ପ୍ଲଟ୍‌ ବୁକିଂ କରିଥିଲି। ମାତ୍ର ପ୍ରଶାସନ ଯେତିକି ସ୍ଥାନ ଦେଇଛି ସେଠାରେ ଗାଡି ରଖି ହେବ ନାହିଁ। ଏଣୁ ବାଲିଯାତ୍ରାରେ ବ୍ୟବସାୟ କରିବା ନିଷ୍ପତ୍ତିରୁ ଓହରି ଗଲି ବୋଲି ବ୍ୟବସାୟୀ ସଂଜୀବ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର