ରେଳବାଇ କୋଠାରେ ଅଗ୍ନିକାଣ୍ତ ମକ୍‌ଡ୍ରିଲ; ଧୂଆଁଭର୍ତ୍ତି କୋଠରୀରୁ ୪ଆହତଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କଟକ: ଦିନ ସାଢେ ୧୧ଟା ବେଳେ ହଠାତ୍‌ କଟକ ରେଳଷ୍ଟେସନ୍‌ସ୍ଥିତ ରେଳବାଇ ଆର‌୍‌ଆର‌୍‌ଆଇ କୋଠାରେ ନିଆଁ ଲାଗିଗଲା। ଖବର ପାଇବା ମାତ୍ରେ ଆର‌୍‌ପିଏଫ୍‌ ଥାନାର ସମସ୍ତ କର୍ମଚାରୀ ଅଗ୍ନିକାଣ୍ତ ସ୍ଥଳକୁ ଧାଇଁଥିଲେ। ନିଆଁ ଲିଭାଇବା ପାଇଁ ଥାନାରେ ଥିବା ବାଲିଭର୍ତ୍ତି ବାଲ୍‌ତି ଓ ଅଗ୍ନିନିର୍ବାପକ ଯନ୍ତ୍ର ନେଇ କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଏଥିସହିତ ଘଟଣା ସମ୍ପର୍କରେ ତୁରନ୍ତ ଦମକଳ କେନ୍ଦ୍ର, ଆମ୍ବୁଲାନ୍ସ, ଷ୍ଟେସନ‌୍ ମ୍ୟାନେଜର ଓ ଜିଆର‌୍‌ପି ଥାନାକୁ ଜଣାଇ ଦିଆଯାଇଥିଲା।
ଆର‌୍‌ପିଏଫ୍‌ ଇନ୍ସପେକ୍ଟର ପ୍ରବୀଣ କୁମାରଙ୍କ ନେତୃତ୍ବରେ ନିଆଁ ଲିଭାଇବା ପାଇଁ ପ୍ରାଥମିକ ପ୍ରୟାସ ବେଳେ କୋଠା ଭିତରେ ପାଖାପାଖି ୧୦ଜଣ ରେଳ କର୍ମଚାରୀ କାର୍ଯ୍ୟବ୍ୟସ୍ତତାରେ ଥିବାରୁ ଫସିଯାଇଥିଲେ। ବାହାରିବାକୁ ଆଉ ବାଟ ନଥିବାରୁ ସେମାନେ ଧୂଆଁମୟ କୋଠରୀରେ ଆବଦ୍ଧ ହୋଇ ରହିଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଆସିବା ପର୍ଯ୍ୟନ୍ତ ଉକ୍ତସ୍ଥଳୀକୁ ଆର‌୍‌ପିଏଫ୍‌ କର୍ମଚାରୀମାନେ ଘେରାବନ୍ଦୀ କରି ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ।

ଏହି ସମୟରେ ସହକାରୀ ଅଗ୍ନିଶମ ଅଧିକାରୀ ଅବନୀ କୁମାର ସ୍ବାଇଁଙ୍କ ନେତୃତ୍ବରେ ଦୁଇଟି ଦମକଳଗାଡ଼ି ସହିତ ଗୋଟିଏ କର୍ମଚାରୀ ବାହକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରଠୁ ନିଆଁ ଲିଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆବଦ୍ଧ ହୋଇ ରହିଯାଇଥିବା ରେଳ କର୍ମଚାରୀଙ୍କ ମଧ୍ୟରୁ ୪ଜଣ ଆହତଙ୍କୁ ଅଗ୍ନିଶମ କର୍ମଚାରୀମାନେ ଦଉଡ଼ି ସହାୟତାରେ ଉଦ୍ଧାର କରିଥିଲେ। ପହଞ୍ଚିଥିବା ଆମ୍ବୁଲାନ୍ସରେ ଆହତମାନଙ୍କୁ ନିକଟସ୍ଥ ହସ୍‌ପିଟାଲ୍‌କୁ ନିଆଯାଇଥିଲା।

Sambad

ଅଗ୍ନିକାଣ୍ତ ବିଷୟରେ ଚାରିଆଡେ଼ ଖବର ବ୍ୟାପିଯାଇଥିବାରୁ ଘଟଣାସ୍ଥଳରେ ରେଳ କର୍ମଚାରୀ, ସ୍ଥାନୀୟ ବାସିନ୍ଦା ଇତ୍ୟାଦିଙ୍କ ଭିଡ଼ ଜମା ହୋଇଯାଇଥିଲା। ପାଖାପାଖି ଅଧଘଣ୍ଟାର କସରତ ପରେ ନିଆଁକୁ କାବୁ କରାଯାଇ ପାରିଥିଲା। ନିଆଁ ଲିଭା କାର୍ଯ୍ୟ ଶେଷ ହେବା ପରେ ଆର‌୍‌ପିଏଫ୍‌ ଆଇଆଇସି, ଜିଆର‌୍‌ପି ଆଇଆଇସିଙ୍କ ସହ ଅନ୍ୟ କର୍ମଚାରୀମାନେ ସହକାରୀ ଅଗ୍ନିଶମ ଅଧିକାରୀ ଅବନୀ କୁମାର ସ୍ବାଇଁଙ୍କ ସହିତ ଘଟଣା ବିଷୟରେ ଆଲୋଚନା କରିଥିଲେ।

ତେବେ ଏହି ସମୟରେ ସମସ୍ତଙ୍କୁ ଭୟଭୀତ ନହେବା ପାଇଁ ଶ୍ରୀ ସ୍ବାଇଁ ପରାମର୍ଶ ଦେଇଥିଲେ। ଏହା କୌଣସି ବାସ୍ତବ ଅଗ୍ନିକାଣ୍ତ ନୁହେଁ, ବର˚ ଆର‌୍‌ପିଏଫ୍‌ ଓ ରେଳ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ପାଇଁ ଏକ ମକ୍‌ ଡ୍ରିଲ୍‌ ଥିଲା। ଯାହାକି ଆର‌୍‌ପିଏଫ୍‌ ଆଇଆଇସି ପ୍ରବୀଣ କୁମାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିବା ଶ୍ରୀ ସ୍ବାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଏହାପରେ ଅଗ୍ନିଶମ କର୍ମଚାରୀମାନେ ରୋଷେଇ ଗ୍ୟାସ ଓ ପେଟ୍ରୋଲ ଦ୍ବାରା ଲାଗୁଥିବା ନିଆଁକୁ କିପରି ଆୟତ୍ତ କରାଯାଇପାରିବ ତାହା ଉପରେ ଡେମୋ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର