କଟକରୁ ଉଠିବନି ଫିଲାଟେଲିକ ବ୍ୟୁରୋ, ସ୍ଥାନାନ୍ତର ଉପରେ ରହିତାଦେଶ

କଟକ: କଟକରୁ ଫିଲାଟେଲିକ ବ୍ୟୁରୋ ଭୁ‌ବନେଶ୍ବର ଯିବନି। ପୂର୍ବଭଳି ଏହା ବକ୍ସିବଜାରସ୍ଥିତ ଜିପିଓ ପରିସରରେ କାର୍ଯ୍ୟ କରିବ। ଗତ ଜୁଲାଇ ୮ ତାରିଖରେ ବ୍ୟୁରୋ ଭୁବନେଶ୍ବର ସହିତ ମିଶ୍ରଣ ହେବା ନେଇ କରାଯାଇଥିବା ଚିଠି ଉପରେ ଗୁରୁବାର ରହିତାଦେଶ ଜାରି କରିଛନ୍ତି କେନ୍ଦ୍ର ଫିଲାଟେଲିକ ନିର୍ଦ୍ଦେଶକ ସୁନୀଲ ଶର୍ମା। କେବଳ କଟକ ନୁହେଁ ଉକ୍ତ ଚିଠିରେ ଦର୍ଶାଯାଇଥିବା ସମସ୍ତ ୩୧ଟି ବ୍ୟୁରୋ ସ୍ଥାନାନ୍ତର ନିର୍ଦ୍ଦେଶ ଉପରେ ଏହି ରହିତାଦେଶ ଜାରି କରାଯାଇଛି।

କଟକକୁ ଶ୍ରୀହୀନ କରାଯାଉଥିବା ଦର୍ଶାଇ ଗତ ଜୁଲାଇ ୧୧ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା। ଏହା ଉପରେ ପ୍ରତିବାଦ ଜଣାଇ ଓଡ଼ିଶା ଫିଲାଟେଲିକ ସଂଘର କର୍ମକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦାବିପତ୍ର ଦେଇଥିଲେ। ସାଂସଦ ମଧ୍ୟ ବ୍ୟକ୍ତିଗତ ଭାବେ କେନ୍ଦ୍ରମନ୍ତ୍ରୀଙ୍କ ସହ କଟକର ସ୍ବାର୍ଥ ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା କରି ପୃଥକ୍‌ ଦାବିପତ୍ର ପ୍ରଦାନ କରିଥିଲେ। କେନ୍ଦ୍ର ଫିଲ‌ାଟେଲିକ କାର୍ଯ୍ୟାଳୟରେ ଓଡ଼ିଶାର ଆପତ୍ତି ପହଞ୍ଚିବା ପରେ ପୂର୍ବ ନିର୍ଦ୍ଦେଶ ଉପରେ ପୁନର୍ବିଚାର କରାଯିବା ଆବଶ୍ୟକ ରହିଥିବା ଏହାର ନିର୍ଦ୍ଦେଶକ ସଂପୃକ୍ତ ଫିଲାଟେଲିକ ବ୍ୟୁରୋମାନଙ୍କୁ ଚିଠି କରିଛନ୍ତି। ତେଣୁ ‌ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଦେଶ ଉପରେ ସେ ରହିତାଦେଶ ଜାରି କରିଛନ୍ତି।

ସୂଚନାଯୋଗ୍ୟ, ସ୍ବାଧୀନତା ମିଳିବାର ପ୍ରଥମ ବର୍ଷ ପରେ ଅର୍ଥାତ୍‌ ୧୯୪୮ ମସିହା ଅଗଷ୍ଟ ୧୫ ତାରିଖରେ କଟକ ବକ୍ସିବଜାରଠାରେ ଫିଲାଟେଲିକ ବ୍ୟୁରୋ ପ୍ରତିଷ୍ଠା ହୋଇଥିଲା। କଟକ ସହିତ କଲିକତା, ଲକ୍ଷ୍ନୌ, ମାଡ୍ରାସ, ନାଗପୁର, ନୂଆଦିଲ୍ଲୀ, ପାଟନା, ସିମ୍‌ଲା ଓ ସିଲଙ୍ଗଠାରେ ଏହି ଦିନରେ ବ୍ୟୁରୋ ଖୋଲା ଯାଇଥିଲା। ବିଭିନ୍ନ ସମୟରେ ଡାକ ବିଭାଗ ପକ୍ଷରୁ ଜାରି ହେଉଥିବା ଡାକ ଟିକଟ ସହିତ ପ୍ରଥମ ଦିବସ ଅନାବରଣ, ସ୍ବତନ୍ତ୍ର ଆବରଣ, ପୋଷ୍ଟକାର୍ଡ, ଡାକ ଲଫାଫା, ମିନିଏଚର, ସେନାବାହିନୀର ସ୍ବତନ୍ତ୍ର ଆବରଣ, ଡାକ ସାମଗ୍ରୀ ଇତ୍ୟାଦି ଏହି ବ୍ୟୁରୋରେ ଉପଲବ୍ଧ ହୋଇଥାଏ। ଅନେକ ବର୍ଷ ପୁରୁଣା କୋଠାକୁ ୨୦୧୯ ମସିହାରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ନବୀକରଣ କରାଯାଇଥିଲା। କଟକ ବ୍ୟୁରୋ ଉପରେ ଅନେକ ଡାକଟିକଟ ସଂଗ୍ରାହକ ନିର୍ଭର କରୁଛନ୍ତି। ନିୟମିତ ବ୍ୟବଧାନରେ ଏଠାରେ ଡାକଟିକଟ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥାଏ। ଆଉ ୨ ବର୍ଷ ପରେ ଏହି ବ୍ୟୁରୋ ୭୫ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଗତ ୮ ତାରିଖରେ ଏହାକୁ ବନ୍ଦ କରି ଭୁବନେଶ୍ବର ସ୍ଥାନାନ୍ତର କରିବାକୁ ଡାକ ବିଭାଗ ରାତି ଅଧିଆ ନିଷ୍ପତ୍ତି ନେଇଥିଲା। ଯାହାକୁ ନେଇ ଡାକ ଟିକଟ ସଂଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ଏବେ ଏହି ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରାଯାଇଥିବାରୁ ଡାକ ଟିକଟ ସଂଗ୍ରାହକଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ଶୁକ୍ରବାର ସଂଗ୍ରାହକମାନେ ବକ୍ସିବଜାରସ୍ଥିତ ଜିପିଓ ନିକଟରେ ଉପସ୍ଥିତ ରହି ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଏହି ଅବସରରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲର ପୂର୍ବତନ ଉପାଧ୍ୟକ୍ଷ ମନୋରଂଜନ ମହାନ୍ତି, କଟକ ନଗର ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ଦେବୀପ୍ରସାଦ ଦାଶ, ସକିଲ ଅହମ୍ମଦ, ମଳୟ କୁମାର ସାହୁ, ବିଭୂତି ମୋହନ ମହାନ୍ତି, କେ. ଚନ୍ଦ୍ରଶେଖର, ଗୋପାଳକୃଷ୍ଣ ଧଳ, ବିଜୟ କୁମାର ପଟ୍ଟୋଦିଆ, ତାପସ କୁମାର ମହାନ୍ତି, ଧନେଶ୍ବର ଜେନା, ରାଜେନ୍ଦ୍ର କୁମାର ସେଠୀ ଓ ଓଡ଼ିଶା ଫିଲାଟେଲିକ ବ୍ୟୁରୋର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କଟକ ଫିଲାଟେଲିକ ବ୍ୟୁରୋ ପୂର୍ବଭଳି କାର୍ଯ୍ୟ କରିବାକୁ ଥିବାରୁ ଏଥିପାଇଁ ସଂଗ୍ରାହକମାନେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର