ସ୍ବପ୍ନରେ ଲିଭର୍‌ ପ୍ରତିରୋପଣ: କିଡ୍‌ନି ପ୍ରତିରୋପଣ ପ୍ରଶ୍ନଘେରରେ, ନେଫ୍ରୋଲୋଜି ପରେ ଏବେ ୟୁରୋଲୋଜି ବିଭାଗ ପ୍ରଫେସର ଶୂନ୍ୟ

ଏସ୍‌ସିବିର ୪ଟି ବିଭାଗରେ ନାହାନ୍ତି ପ୍ରଫେସର

କଟକ: ରାଜ୍ୟ ଚିକିତ୍ସା ବିଜ୍ଞାନରେ ଅନେକ ମାଇଲ୍‌ ଖୁଣ୍ଟ ସ୍ଥାପନ କରିଛି କଟକ ବଡ଼ ଡାକ୍ତରଖାନା । ହେଲେ ଏବେ ଏମିତି ସ୍ଥିତି ଉପୁଜିଲାଣି ଯେ, ଯାହା ହେଉଥିଲା ସେ ସବୁ ଧୀରେ ଧୀରେ ବନ୍ଦ ହେବାକୁ ବସିଲାଣି। କାରଣ ନେଫ୍ରୋଲୋଜି, ମାଇକ୍ରୋବାୟୋଲୋଜି, ଫିଜିଓଲୋଜି ପରେ ଏବେ ୟୁରୋଲୋଜି ବିଭାଗ ପ୍ରଫେସରଶୂନ୍ୟ ହୋଇପଡିଛି। ଗଲା ୩୦ ତାରିଖରେ ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲ ଅବସରଗ୍ରହଣ କରିବା ପରେ ବିଭାଗ ପ୍ରଫେସର ଶୂନ୍ୟ ହୋଇ ପଡ଼ିବା ସହ ଏସ୍‌ସିବିକୁ କିଡ୍‌ନି ପ୍ରତିରୋପଣ କ୍ଷେତ୍ରରେ ଯେଉଁ ସଫଳତା ମିଳିଥିଲା ସେହି ବ୍ୟବସ୍ଥା ଆଗକୁ କେତେ କରାଯାଇପାରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଏପଟେ ଦୀର୍ଘ ୮/୯ବର୍ଷ ହେଲା ନୂଆ ଯୋଜନାରେ ଏସ୍‌ସିବି ଲିଭର୍‌ ପ୍ରତିରୋପଣ ଯୁନିଟ୍‌ ରହିଥିବା ବେଳେ ତାହା ଏଯାବତ୍‌ କାର୍ଯ୍ୟକ୍ଷମ ହୋଇପାରୁନି। ଏବେ ପୁଣି କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥାକୁ ନେଇ ସନ୍ଦେହ ଉଠିଲାଣି।

ଅନ୍ୟପଟେ ରାଜ୍ୟରେ ପ୍ରଥମ କାଡାଭରିକ୍‌ ପ୍ରତିରୋପଣ ବ୍ୟବସ୍ଥା କରି ଏସ୍‌ସିବି ଯେଉଁ ସଫଳତା ପାଇଥିଲା ତା’ ମଧ୍ୟ କୋଭିଡ୍‌ ପରଠାରୁ ବନ୍ଦ। ଆଗକୁ ‌ସେହି ବ୍ୟବସ୍ଥା ଯେ ଏସ୍‌ସିବିରେ ହୋଇପାରିବ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। କାରଣ ଏସ୍‌ସିବିର ନୋଫ୍ରାଲୋଜି ପରେ ୟୁରୋଲୋଜି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସବୁ ପ୍ରଫେସର ଶୂନ୍ୟ ହୋଇପଡିଥିବାବେଳେ ସବୁ ବିଭାଗରେ ବିଶେଷଜ୍ଞ ଅଭାବ। ଆଗକୁ ଏସ୍‌ସିବିର କେବଳ ଚିକିତ୍ସା ବ୍ୟବସ୍ଥା ନୁହେଁ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢା, ଗବେଷଣା… ସବୁ କିଛି ପ୍ରଭାବିତ ହେବ। ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିର ସୁଧାର ପାଇଁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ଡାକ୍ତରୀ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଇବ ବୋଲି ଆଶଙ୍କା ଉପୁଜିଛି।

ସମ୍ବନ୍ଧିତ ଖବର