ସାରା ରାଜ୍ୟରେ ବଢ଼ୁଛି ଖରାର ପ୍ରକୋପ: ଅଂଶୁଘାତ ମୁକାବିଲା ପାଇଁ ଏସ୍‌ସିବି ପ୍ରସ୍ତୁତ, ସ୍ବତନ୍ତ୍ର ୧୬ ବେଡ୍‌

କଟକ: ଅଂଶୁଘାତ ମୁକାବିଲା ପାଇଁ କଟକ ବଡ଼ ଡାକ୍ତରଖାନା ପ୍ରସ୍ତୁତ। ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବିରେ ୧୬ଟି ବେଡ୍‌ ପ୍ରସ୍ତୁତ ହୋଇଥିବା ବେଳେ ସେଥିରୁ ୮ଟି ମହିଳା ଓ ୮ଟି ପୁରୁଷଙ୍କ ପାଇଁ ରହିଛି। କୌଣସି ରୋଗୀ ବର୍ତ୍ତମାନ ସୁଦ୍ଧା ଚିକିତ୍ସା ପାଇଁ ଆସି ନଥିବା ବେଳେ ଯଦି ରୋଗୀ ସଂଖ୍ୟା ବୃଦ୍ଧି ପାଏ ତା’ହେଲେ ବେଡ୍‌ ସଂଖ୍ୟା ୨୨କୁ ବୃଦ୍ଧି କରାଯିବ।

ତେବେ ଅଂଶୁଘାତର ମୁକାବିଲା ପାଇଁ ଏସ୍‌ସିବିରେ ବ୍ୟାପକ ପ୍ରସ୍ତୁତି ହୋଇଥିବା ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ନନ୍‌ଟ୍ରମା କାଜୁଆଲ୍‌ଟି ଗୃହକୁ ପ୍ରଥମ ଥର ପାର୍ଇ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଏଣୁ ଅଂଶୁଘାତରେ ପୀଡ଼ିତ ହୋଇ ଆସିବା ବ୍ୟକ୍ତିଙ୍କୁ ନନ୍‌ଟ୍ରମା କାଜୁଆଲ୍‌ଟିରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ। ଉକ୍ତ ଗୃହରେ ୩୦ ଶଯ୍ୟା ଉପଲବ୍‌ଧ ରହିଛି। ଏହାଛଡ଼ା କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ଯୋଗୁଁ ଉତ୍ସର୍ଗୀକୃତ କୋଭିଡ୍‌ ହସ୍ପିଟାଲ(ଡିସିଏଚ୍) ୟୁନିଟ-୨କୁ ବନ୍ଦ କରି ଦିଆଯାଇଛି। ଏଠାରେ ଏବେ ମେଡିସିନ୍‌ ୱାର୍ଡର ରୋଗୀମାନେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଛନ୍ତି। ନୂଆ ମେଡିସିନ୍‌ ୱାର୍ଡ କୋଠାରେ ମୋଟ୍ ୧୬ଟି ଶଯ୍ୟା କେବଳ ଅଂଶୁଘାତ ପୀଡ଼ିତଙ୍କ ପାଇଁ ରଖାଯାଇଛି। କୋଠାର ୪ର୍ଥ ଓ ୫ମ ମହଲାରେ ୮ଟି ଲେଖାଏ ଶଯ୍ୟା ରହିଛି । ମେଡିସିନ୍‌ ୱାର୍ଡ ଆଇସିୟୁର ଉପର ମହଲାରେ ୨୦ଟି ଶଯ୍ୟା ସଂରକ୍ଷିତ ରହିଛି, ଯାହାକୁ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼ିଲେ ବ୍ୟବହାର କରାଯିବ। ଏତଦବ୍ୟତୀତ ଶିଶୁମାନଙ୍କ ପ୍ରତି ଦୃଷ୍ଟି ଦିଆଯାଇ ଶିଶୁରୋଗ ବିଭାଗରେ ୨ଟି ଶଯ୍ୟା ରହିଛି ବୋଲି ଜରୁରୀକାଳୀନ ଅଧିକାରୀ ଡାକ୍ତର ମହାରଣା କହିଛନ୍ତି।

ସମ୍ବନ୍ଧିତ ଖବର