ପୁଲିସର ରହସ୍ୟଜନକ ନିରବତା; ବଦଳୁନି ବାଦାମବାଡ଼ି

କଟକ: ଆଖି ଆଗରେ ନିୟମ ଖିଲାପ ହେଉଛି। ସାଧାରଣ ଲୋକ ସମସ୍ୟ‌ାରେ ପଡୁଛନ୍ତି। ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। କିନ୍ତୁ ରହସ୍ୟଜନକ ଭାବେ ପୁଲିସ ଚୁପ କାହିଁକି? କାହିଁକି ମଧୁପାଟଣାରୁ ବାଦାମବାଡି ଯାଏ କଟକର ସବୁଠୁ ଗୁରୁତ୍ବପୂର୍ଣ୍ଣ ରାସ୍ତାର ଟ୍ରାଫିକ ବ୍ୟବସ୍ଥା ସୁଧୁରି ପାରୁନି? ମଧୁପାଟଣା ଛକରେ ରହିଛି ମଧୁପାଟଣା ଥାନା ଆଉ ଟ୍ରାଫିକ ଟାୱାର। ଏପଟେ ବାଦାମବାଡି ଛକରେ ରହିଛି ବାଦାମବାଡି ଥାନା। ଦୁଇଟି ଥାନାକୁ ସଂଯୋଗ କରୁଥିବା ଗୋଟିଏ ରାସ୍ତାର ଟ୍ରାଫିକ ବ୍ୟବସ୍ଥା ଯଦି ସଜଡା ଯାଇ ପାରୁ ନାହିଁ ତେବେ ପୁଲିସ କି ପ୍ରକାର ଦାୟିତ୍ବ ନିର୍ବାହ କରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ପୁଲିସର ଦାୟିତ୍ବ କ’ଣ? ଦୁଇ ଚକିଆ ଯାନର ଫଟୋ ଉଠାଇ ଚାଲାଣ କାଟି ଦେଲେ କ’ଣ ଟ୍ରାଫିକ ସୁଧୁରି ଯିବ? ନିୟମ ଭାଙ୍ଗି ଯେଉଁଠି ସେଠି ଅଟକୁ ଥିବା ବସ୍, ଯେଉଁଠି ସେଠି ପାର୍କିଂ କରୁଥିବା ଅଟୋ ପ୍ରତି ପୁଲିସର କେଉଁ କାରଣରୁ ଏତେ ଦରଦ? କାହିଁକି ନିୟମଖିଲାପକାରୀଙ୍କର ପୁଲିସ ପ୍ରତି ସାମାନ୍ୟତମ ଭୟ ବି ରହୁନି?

Sambad

ମଧୁପାଟଣା ଛକ ଉପରେ ବସ୍ ଓ ଅଟୋ ଯେଭଳି ରାସ୍ତା ମଝିରେ ଅଟକି ରହୁଛନ୍ତି, ସେଥିରେ ପୁଲିସ ପ୍ରତି ସେମାନଙ୍କର ସାମାନ୍ୟତମ ଭୟ ନଥିବା ପ୍ରମାଣିତ ହେଉଛି। ବାଦାମବାଡି ଛକ ଉପରେ ବି ଅନୁରୂପ ସ୍ଥିତି। ବାଦାମବାଡ଼ି ରାସ୍ତାରେ ଭିଡ଼ ହେବା ପଛରେ ବେଆଇନ ପାର୍କିଂ ମୁଖ୍ୟ କାରଣ। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କାହାକୁ ଭୟ କରୁଛି? ‘ମୋ ବସ୍’ର ମନମାନି ସବୁଠୁ ଅଧିକ ସମସ୍ୟାର କାରଣ ହେଉଛି। ଜୟଶ୍ରୀ ସିନେମା ହଲ୍ ନିକଟରୁ ନ୍ୟୁ ଏଲଆଇସି କଲୋନି ଯାଏ ରାସ୍ତାରେ ନିୟମିତ କାର୍ ପାର୍କିଂ ହେଉଥିବା ବେଳେ ତା’ ପଛକୁ ବସ୍ ଓ ଅଟୋ ଚାଳକଙ୍କ ପାର୍କିଂ ଯୋଗୁଁ ଭରତିଆ ଟାଓ୍ବାରରୁ ନ୍ୟୁ ଏଲଆଇସି କଲୋନି ଯାଏ ରାସ୍ତାରେ ଅସମ୍ଭବ ପ୍ରକାର ଭିଡ଼ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର