କଟକରେ ୧୭୪ଟି ପରୀକ୍ଷା କେନ୍ଦ୍ର:୨୮ହଜାର ୩୯୭ ମାଟ୍ରିକ୍‌ ପରୀକ୍ଷାର୍ଥୀ, ଦୁଇ ଶହ ପ୍ରଧାନଶିକ୍ଷକଙ୍କୁ ଦିଆଗଲା ତାଲିମ୍‌

କଟକ: କଟକ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଦେବେ ୨୮ହଜାର ୩୯୭ଜଣ ପରୀକ୍ଷାର୍ଥି। ଚଳିତମାସ ୨୯ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍‌ ପରୀକ୍ଷା ପାଇଁ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିସହିତ ଆଜି ରେଭେନ୍ସା‌ କଲିଜିଏଟ୍‌ ସ୍କୁଲ‌ରେ ପାଖାପାଖି ୨ଶହ ଜଣ ପ୍ରଧାନଶିକ୍ଷକଙ୍କୁ ମାଟ୍ରିକ୍‌ ପରୀକ୍ଷା ପରିଚାଳନା ପାଇଁ ରହିଥିବା ନିୟମାବଳୀ ସଂପର୍କରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି। କଟକ ଜିଲ୍ଲାରେ ୧୭୪ଟି ପରୀକ୍ଷା କେନ୍ଦ୍ର ଥିବାବେଳେ ୧୭ଟି ନୋଡାଲ ସେଣ୍ଟର ରହିଛି। ୪୪ଟି କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ କପି ପାଇଁ ଡିଇଓଙ୍କ ପକ୍ଷରୁ ତିନୋଟି ପ୍ଲାଇଙ୍ଗ ସ୍କ୍ବାଡ୍ କରାଯାଇଛି। ଅନ୍ୟପଟେ ବୋର୍ଡ ପକ୍ଷରୁ ମଧ୍ୟରୁ ସ୍କ୍ବାଡ୍ ରହିବେ। ପରୀକ୍ଷା କେନ୍ଦ୍ରକୁ କେହି ମୋବାଇଲ ଫୋନ୍ ନେଇପାରିବେ ନାହିଁ। କେବଳ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ମୋବାଇଲ ଫୋନ ରଖିପାରିବେ। କିନ୍ତୁ ସେ ମୋବାଇଲ ଫୋନକୁ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରଖିବେ ଓ ସର୍ବସାଧାରଣ ସ୍ଥାନରେ କଥା ହୋଇପାରିବେ ନାହିଁ। ଯଦି କଥା ହେବେ କେବଳ ପରୀକ୍ଷା ସଂପର୍କିତ କଥା ହେବେ।

ପରୀକ୍ଷା ପାଇଁ ଜିଲ୍ଲାରେ ନୋଡାଲ ସେଣ୍ଟର ୧୭ଟି ରହିଛି। କଟକ ଜିଲ୍ଲାରେ ଯେଉଁ ୨୮ହଜାର ୩୯୭ଜଣ ମାଟ୍ରିକ୍‌ ପରୀକ୍ଷାର୍ଥି ରହିଛନ୍ତି ସେଥିରୁ କଟକ ସହରରେ ସର୍ବାଧିକ ୪୦୭୯ ଜଣ ପରୀକ୍ଷା ଦେବାକୁ ଥିବା ବେଳେ ତିଗିରିଆରେ ସବୁଠାରୁ କମ୍‌ ୬୩୦ଜଣ ପରୀକ୍ଷାର୍ଥି ରହିଛନ୍ତି। ଆଠଗଡ଼ରେ ୨୦୦୪ଜଣ, ବଡମ୍ବାରେ ୧୯୬୫, ବାଙ୍କୀରେ ୧୨୧୮, ବାରଙ୍ଗରେ ୯୭୮, କଟକ ସଦରରେ ୨୯୮୬, ବାଙ୍କୀ-ଡମପଡାରେ ୧୨୯୧, କଣ୍ଟାପଡାରେ ୧୧୯୮, ମାହାଙ୍ଗାରେ ୨୭୭୩, ନରସିଂହପୁର ୨୦୪୦, ନିଆଳି ୧୬୩୪, ନିଶ୍ଚିନ୍ତକୋଇଲି ୨୪୬୪, ସାଲେପୁର ୨୪୨୦, ଟାଙ୍ଗୀ-ଚୌଦ୍ବାରରେ ୭୧୭ଜଣ ପରୀକ୍ଷାର୍ଥି ପରୀକ୍ଷା ଦେବେ ବୋଲି ଶିକ୍ଷା ବିଭାଗ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର