ଘର ଆଗରୁ ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ 

ରାଉରକେଲା: ଛେଣ୍ଡ କଲୋନିର ଘର ଆଗରୁ ଛେଣ୍ଡ ପୁଲିସ ଜଣେ ଯୁବକର ଶବ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ ଛେଣ୍ଡ ଏମ୍ଆଜି ବ୍ଲକର ଶିବମ୍ ପ୍ରଧାନ (୨୬)। ପୁଲିସ ଶବ ଜବତ କରି ବ୍ୟବେଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ଶିବମ୍ର ପିତା ନିରଞ୍ଜନ ପ୍ରଧାନ ତାଙ୍କ ପୁଅ ହତ୍ୟା କରି ଘର ଆଗରେ ଫିଙ୍ଗି ଦିଆଯାଇଥିବା  ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନିରଞ୍ଜନ ତାଙ୍କ ଲିଖିତ ଏତଲାରେ ଦର୍ଶାଇଛନ୍ତି ଗତକାଲି ଦିନରେ ଶିବମ୍ ଜଣେ ଯୁବକଙ୍କ ସହ ବୁଲାବୁଲି କରୁଥିଲା। ରାତିରେ ଘରକୁ ଫେରିଥିଲେ। ରାତି ୧୦ଟାରେ ଶିବମ୍ ସହ ବୁଲୁଥିବା ଯୁବକ ଜଣକ ଘରକୁ ଆସିଥିଲା। ଶିବମ୍କୁ ଘରୁ ଡାକି ନେଇ ଚାଲିଯାଇଥିଲା। ରାତିରେ ଶିବମ୍ ଘରକୁ ଫେରି ନଥିଲା। ସକାଳେ ବୁଲୁଥିବା ଯୁବକଙ୍କ ଘର ଆଗରେ ଶିବମ୍ର ଶବ ପଡିଥିବା ଦେଖିବାକୁ ପାଇଥିଲେ। ତେଣୁ ଗତକାଲି ଦିନ ତମାମ ବୁଲୁଥିବା ଯୁବକ  ଓ ତା’ର ସହଯୋଗୀମାନେ ଶିବମକୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ନିରଞ୍ଜନ ଦାବି କରିଛନ୍ତି। ପୁଲିସ ନିରଞ୍ଜନ ବୟାନ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର