ସଫେଇ ଆଳରେ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

ଚଣ୍ଡିଖୋଲ/ବାଲିକୁଦା: ଗହଣା ସଫେଇ କରିବା ଆଳରେ ଦୁଇଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟ୍‌। ବାଲିଚନ୍ଦ୍ରପୁର ଥାନା ଗୋପାଳପୁର ପଞ୍ଚାୟତ ଗଜେନ୍ଦ୍ରପୁର ଗ୍ରାମରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର ଶାନ୍ତିଙ୍କ ଘରୁ ଆଜି ଏଭଳି ହାତ ସଫେଇ କରିଛନ୍ତି ଦୁଇ ଦୁର୍ବୃତ୍ତ। ଦୁଇ ଅଣଓଡ଼ିଆ ଠକ ପ୍ରାୟ ୪୦ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ନେଇ ଚମ୍ପଟ ମାରିଛନ୍ତି। ରବୀନ୍ଦ୍ର ଘରେ ନ ଥିବାବେଳେ ଦୁଇଜଣ ଅଣଓଡ଼ିଆ ବ୍ୟକ୍ତି ପହଞ୍ଚିଥିଲେ। ଘରେ ଥିବା ପିତ୍ତଳ ଠାକୁର ବାସନ ସଫା କରିଦେବୁ ବୋଲି ଖଣ୍ଡି ଓଡ଼ିଆରେ କହିଥିଲେ। ଏକଥା ଶୁଣି ତାଙ୍କ ପତ୍ନୀ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଊର୍ମିଳା ଶାନ୍ତି କିଛି ପିତ୍ତଳ ବାସନ ଦେଇଥିଲେ। ଏମାନେ ସେସବୁକୁ ସଫା କଲା ପରେ କଳା ପଡ଼ି ଯାଇଥିବା ରୁପା ଅଳଙ୍କାର ସଫା କରିବାକୁ କହିଥିଲେ। କିଛି ରୁପା ଅଳଙ୍କାର ଦେବାରୁ ସେସବୁକୁ ମଧ୍ୟ ଦୁଇ ଠକ ସଫା କରି ବିଶ୍ୱାସ ଜନ୍ମାଇଥିଲେ। ପରେ ସେମାନେ ସୁନାଗହଣା ସଫେଇ କରିବାକୁ ମାଗଥିଲେ।

ଊର୍ମିଳା ୪୦ ଗ୍ରାମ୍‌ ସୁନାଗହଣା ସଫା କରିବାକୁ ଦେଇଥିଲେ। ସେମାନେ ଏକ ବାଲ୍‌ଟି ମଗାଇ ସେଥିରେ ସୁନାଗହଣା ସହିତ କିଛି ପାଉଡର ପକାଇଥିଲେ। ‘ଅଧଘଣ୍ଟା ପରେ ଏଥିରୁ ସୁନାଗହଣା ବାହାର କରିଦେବ। ସବୁ ଅଳଙ୍କାର ସଫା ହୋଇ ଯାଇଥିବ’ ବୋଲି କହି ଚାଲିଯାଇଥିଲେ। ଗଲାବେଳକୁ ସଫେଇ ଖର୍ଚ୍ଚ ମଧ୍ୟ ନେଇ ଯାଇଥିଲେ। ଅଧଘଣ୍ଟା ପରେ ଊର୍ମିଳା ଦେଖନ୍ତି ତ ବାଲ୍‌ଟିରେ ସୁନାଗହଣା ନାହିଁ। ସେଥିରେ କେବଳ ତିନୋଟି ଗୋଡ଼ି ପୁଡ଼ିଆ ଦେଖି ତାଙ୍କର ବୁଦ୍ଧି ହଜି ଯାଇଥିଲା। ରବୀନ୍ଦ୍ର ଘରକୁ ଆସି ଏହା ଜାଣିବା ପରେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସଙ୍ଗେସଙ୍ଗେ ତାଙ୍କ ଘରକୁ ଆସି ତଦନ୍ତ କରିଥିଲେ ମଧ୍ୟ ଦୁଇ ଠକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏ ସଂକ୍ରାନ୍ତରେ ୧୯୫/୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ତଦନ୍ତ ଅଧିକାରୀ ଗିରୀଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି

ସମ୍ବନ୍ଧିତ ଖବର