ସିକୋ ଓ ଶଗଡ଼ଭଙ୍ଗା ପଂଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବି

ସିକୋ : ୪ ଓ ୫ ତାରିଖରେ ବାତ୍ୟା ଜୱାଦ ଜନିତ ଲଗାଣ ବର୍ଷା ଯୋଗୁଁ ବେଗୁନିଆ ବ୍ଲକ ସିକୋ ଓ ଶଗଡ଼ଭଙ୍ଗା ପଂଚାୟତର ଶତାଧିକ ଧାନ କ୍ଷେତ ନଷ୍ଟ ହୋଇଯାଇଛି । ଚଳିତ ବର୍ଷ ବେଗୁନିଆ ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷକାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା । ପରେ ଯେଉଁ ଚାଷୀ ଚାଷ କାମ ଆରମ୍ଭ କଲେ ସେମାନଙ୍କ ମଧ୍ୟରୁ ଚକଡ଼ା ପୋକ ଯୋଗୁଁ କେତେକଙ୍କ କ୍ଷତି ହୋଇଥିଲା । ବର୍ତମାନ ଫସଲ ଅମଳ ସମୟକୁ ଲଗାଣ ବର୍ଷା ଚାଷୀଙ୍କୁ ହତାଶ କରିଛି ।

ଚାଷୀ ଦେବରାଜ ବେହେରା, ନକୁଳ ପଟ୍ଟନାୟକ, ପବନି ବେହେରା, ଅପର୍ତି ବାହୁବଳେନ୍ଦ୍ର, ସନ୍ତୋଷ କୁମାର ପ୍ରଧାନ, ସତ୍ୟବାନ ମୁଦୁଲି, ସର୍ବେଶ୍ୱର ସିଂହ ପ୍ରମୁଖ କହିଛନ୍ତି ଯେ ଅକ୍ଟୋବର ମାସରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଧାନକ୍ଷେତର କ୍ଷୟକ୍ଷତି ଅନୁଧ୍ୟାନ କେଉଁଆଡ଼େ ଯାଇଛି ତାହା ଜଣାପଡ଼ୁନାହିଁ । ବର୍ତମାନ ପୁଣି ଲଗାଣ ବର୍ଷାର ୪ ଦିନ ବିତିଯାଇଛି କିନ୍ତୁ କୌଣସି କୃଷି ବିଭାଗ ଅଧିକାରୀଙ୍କ ଦେଖା ମିଳିନାହିଁ । ପାଗ ମେଘୁଆ ରହିଥିବାରୁ ଧାନ ବିଲରେ ପାଣି ଶୁଖୁନାହିଁ ଫଳରେ ପାଚିଆସୁଥିବା ଧାନ ପଚିଯିବା ସମ୍ଭାବନା ଦେଖାଦେଇଛି । ଏଣୁ କୃଷି ବିଭାଗ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣର ବ୍ୟବସ୍ଥା କରନ୍ତୁ, ନଚେତ ଆଗାମୀ ଦିନରେ ଏନେଇ ବ୍ଲକ କୃଷି କାର୍ଯର୍୍ୟାଳୟ ସମ୍ମୁଖରେ ଧାରଣା ଦେବେ ।

ସମ୍ବନ୍ଧିତ ଖବର