ଯୌତୁକ ପାଇଁ ନବବଧୂ ହତ୍ୟା!

କାମାକ୍ଷାନଗର: ବାହାଘରକୁ ବର୍ଷେ ପୂରିନି। ଅକାଳରେ ଝରିଯାଇଛି ଜଣେ ନବବଧୂର ଜୀବନ। ତୁମୁସିଂହା ଥାନା କନ୍ତିଓକାଟଣୀ ଗାଁରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। କନ୍ତିଓକାଟେଣୀ ସିଧାଶ୍ରମ ସାହିର ରଞ୍ଜିତ ସାହୁଙ୍କ ପତ୍ନୀ ରୀନା ମାଝି(୨୨)ଙ୍କ ମୃତଦେହ ପୁଲିସ ଆଜି ସକାଳେ ତାଙ୍କ ଘରୁ ଜବତ କରିଛି। ରୀନା ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଶାଶୂଘର ଲୋକେ କହିଥିବା ବେଳେ ‌େଯୗତୁକ ଦାବିକରି ନପାଇବାରୁ ଶାଶୂଘର ସଦସ୍ୟ ତାଙ୍କୁ ମାରିଦେଇଛନ୍ତି ବୋଲି ରୀନାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ, ତୁମୁସିଂହା ଗାଁର କୈଳାସ ମାଝିଙ୍କ ଝିଅ ରୀନାଙ୍କ ସହ ରଞ୍ଜିତ ସାହୁଙ୍କ ବିବାହ ବୈଦିକ ରୀତିରେ ଗତବର୍ଷ ଜୁଲାଇ ମାସରେ ହୋଇଥିଲା। ବିବ‌ାହର କିଛିଦିନ ପରେ ସ୍ବାମୀ ‌େଯୗତୁକ ଦାବିକରି ରୀନାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଏ ଘଟଣା ରୀନା ତାଙ୍କ ବାପାଙ୍କୁ ଜଣାଇଥିଲେ। ସୁବିଧା ଦେଖି ଏହି ଦାବି ପୂରଣ କରିବେ ବୋଲି କୈଳାସ ପ୍ରତିଶ୍ରୁତି ଦେଇଥିଲେ। ରୀନା ଗୁରୁତର ଅସୁସ୍ଥ ଅଛନ୍ତି ବୋଲି ଆଜି ସକାଳେ କୈଳାସ ତାଙ୍କ ଶାଶୂଘର ଲୋକଙ୍କଠାରୁ ଖବର ପାଇଥିଲେ। ସେଠ‌ାରେ କୈଳାସ ପହଞ୍ଚି ରୀନାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଗତକାଲି ରାତିରେ ଘରଠାରୁ କିଛି ଦୂର ଏକ ଆମ୍ବଗଛରେ ରୀନା ରଶି ଲଗାଇ ଦେଇଥିଲେ। ଆଜି ଭୋରରେ ରଶି କାଟି ରୀନାଙ୍କୁ ଘରକୁ ଆଣି ଡାକ୍ତରଖାନାକୁ ନେବାକୁ ବାହାରିବାବେଳେ ତାଙ୍କର ମୃତ୍ୟୁ ଘଟିଲା ବୋଲି ଶାଶୂଘର ସଦସ୍ୟ କୈଳାସଙ୍କୁ କହିଥିଲେ। କିନ୍ତୁ ‌େଯୗତୁକ ଦାବିକରି ନପାଇବାରୁ ସ୍ବାମୀ ରଞ୍ଜିତ, ଶ୍ବଶୁର ତୀର୍ଥବାସୀ, ଶାଶୂ ନୟନୀ ଓ ଦିଅର ଟିକମ ତାଙ୍କୁ ହତ୍ୟା କରିଛନ୍ତି ବୋଲି କୈଳାସ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ଅନୁପମା ମୁର୍ମୁ, ଥାନାଧିକାରୀ ବିଷ୍ଣୁଚରଣ ବାରିକ, ଏସ୍‌ଆଇ ମୁରଲୀଧର ନାୟକ ପହଞ୍ଚିଥିଲେ। ଅଭିଯୋଗ ଭିତ୍ତିରେ ପୁଲିସ କେସ୍‌ ନମ୍ବର ୩୬/୨୦୧୯, ଦଫା ୪୯୮(ଏ), ୩୦୪(ବି), ୩୪ ଆଇପିସି ଓ ୪ଡିପି ଆକ୍ଟରେ ମାମଲା ରୁଜୁକରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନାକୁ ପଠାଇଛି। ଅଭିଯୁକ୍ତ ସ୍ବାମୀ ଓ ଦିଅର ଫେରାର ହୋଇଯାଇଥିବାବେଳେ ଶାଶୂ ଓ ଶ୍ବଶୁରଙ୍କୁ ପୁଲିସ ଅଟକ ରଖି ଏ ସଂପର୍କରେ ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର