କରୋନା ମାଡ଼ରେ ୯ ମାସ ହେଲା ରୋଜଗାର ବନ୍ଦ; ଦୁର୍ଦ୍ଦିନରେ ବ୍ୟାଣ୍ଡପାର୍ଟି ମାଲିକ, କର୍ମଚାରୀ

ରାଇସୁଙ୍ଗୁଡ଼ା: କରୋନା ମାଡ଼ରେ ଗତ ୯ ମାସ ହେଲା ସାଲେପୁର ବ୍ଲକ୍‌ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ଓ ଆଖପାଖ ଅଞ୍ଚଳରେ ଥିବା ୨୦ରୁ ଅଧିକ ବ୍ରାସ୍‌ବ୍ୟାଣ୍ଡ ପାର୍ଟିର ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ବ୍ୟାଣ୍ଡପାର୍ଟି ମାଲିକ ଓ କର୍ମଚାରୀଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଛି।
ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗୁ ହେବା ପରେ ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ବିବାହ, ବ୍ରତ ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ କାଣ୍ଟଛାଣ୍ଟ କରାଯାଇଥିଲା। କରୋନା ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବାରୁ ସରକାର କଟକଣାରେ ମଧ୍ୟ କିଛିଟା କୋହଳ କରିଥିଲେ। ହେଲେ, ଡିସେମ୍ବର ମାସରେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ରାସବ୍ୟାଣ୍ଡ, ବିଭିନ୍ନ ବାଜା, ଲାଇଟ ଓ ଡିଜେ ସାଉଣ୍ଡ ପାଇଁ କୌଣସି ନିୟମ ପରିବର୍ତ୍ତନ କରାଯାଇନାହିଁ।

ଏହାପରେ ବ୍ୟାଣ୍ଡ ପାର୍ଟି ମାଲିକମାନଙ୍କ ସମସ୍ତ ଆଶା ଧୂଳିସାତ ହୋଇଯାଇଛି। ୨୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ନିୟମ କରାଯାଇଥିଲା ବେଳେ ବାଜା ବନ୍ଦ କଟକଣା ନ ଉଠିବାରୁ ରାଇସୁଙ୍ଗୁଡ଼ା, ପିକୋଳ, ଓଡ଼ସିଂ, ରାମେଶ୍ୱର ଆଦି ଅଞ୍ଚଳର ୨୦ରୁ ଅଧିକ ବ୍ରାସ ବ୍ୟାଣ୍ଡ ପାର୍ଟି ମାଲିକ ହତାଶ ହୋଇପଡ଼ିଛନ୍ତି। କରୋନା ଆରମ୍ଭ ହେବା ପୂର୍ବରୁ ଗତ ମାର୍ଚ୍ଚ ୧୨ ତାରିଖ ବିବାହ ତିଥିରେ ମାଲିକମାନେ ଶେଷ କଲ୍‌ କରିଥିଲେ। କଟକଣା ଲାଗୁ ହେବା ପରେ ଦୀର୍ଘ ୯ ମାସ ହେବ ରୋଜଗାର ବନ୍ଦ ଥିବାରୁ କେତେକ ମାଲିକ ବ୍ୟାଣ୍ଡପାର୍ଟି ଭାଙ୍ଗି ରାସନ ଓ ପରିବା ବେପାରକୁ ବୃତ୍ତି ଭାବେ ଆପଣେଇ ନେଇଥିବା ଦେଖିବାକୁ ମିଳିଛି। ସେହିପରି ବ୍ୟାଣ୍ଡପାର୍ଟିରେ ଏକ ହଜାରରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ହେଉଥିଲେ। ବର୍ଷକର ଗୋଟିଏ ସିଜିନିରେ ତିନିମାସ ବ୍ୟବସାୟ କରି ସେମାନେ ପରିବାର ପ୍ରତିପୋଷଣ କରୁଥିଲେ। ଏବେ ପରିବାର ଚଳାଇବା କାଠିକର ପାଠ ହୋଇଯାଇଛି। ଏହାଛଡ଼ା ବ୍ୟାଙ୍କରୁ ଋଣ କିମ୍ବା ହାତ ଉଧାରି କରିଥିବା ବହୁ ବ୍ୟାଣ୍ଡପାର୍ଟି ମାଲିକ ଲକ୍ଷଲକ୍ଷ ଟଙ୍କାର ଋଣ ଯନ୍ତାରେ ଫସିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ଦୁର୍ଦ୍ଦିନରେ କାଳ କାଟୁଥିବା ବ୍ୟାଣ୍ଡପାର୍ଟି ମାଲିକ ଓ କର୍ମଚାରୀମାନଙ୍କ ପରିବାର ପ୍ରତିପୋଷଣ ପାଇଁ ସ୍ୱତ୍ୱନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର