ବିଦ୍ୟୁତ ଆଘାତରେ ଯୁବକ ମୃତ

ସେମିଳିଗୁଡା: ଘର ରଙ୍ଗ ମରା କାର୍ଯ୍ୟ ଚାଲିଥିବା ବେଳେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରଙ୍ଗ କାମ କରୁଥିବା ଜଣେ ୨୨ ବର୍ଷୀୟ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ ସେମିଳିଗୁଡା ମେଦିରି ସାହି ଅଞ୍ଚଳରେ ନାଲକୋ କର୍ମଚାରୀ ଶ୍ରୀ ଏ ବାଘଙ୍କ ନୂଆ ଘର କାମ ଚାଲିଥିବା ସମୟରେ ରଙ୍ଗ କାମ କରିବା ପାଇଁ ଦୁର୍ଗେଶ କୁମାର ତ୍ରିପାଠୀ ନାମକ ଜଣେ ଠିକାଦାର କାମ ନେଇଥିଲେ।

ଆଜି ସକାଳ ୯ଟା ସମୟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସୁନାବେଡା ମୁନସିପାଲିଟି ଅଞ୍ଚଳ ଜଡ଼ାଗୁଡା  ଗ୍ରାମର  ୨୨ ବର୍ଷୀୟ ରବି ଜାନି ଦ୍ୱିତୀୟ ମହଲା ଉପରେ ଭାଡାରେ ଚଢି ରଙ୍ଗ ମାରୁଥିବା ବେଳେ କୌଣସି କାରଣବଶତଃ ଘର ଉପରେ ଯାଇଥିବା ୩୩ କେଭି ବିଶିଷ୍ଟ ଉଚ୍ଚ କ୍ଷମତା ସମ୍ପୂର୍ଣ୍ଣ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ  ଜଳିଯାଇ ତଳେ ଖସି ପଡ଼ିଥି‌ଲେ।

ଫଳରେ ମୁଣ୍ଡ ଫାଟି ରକ୍ତସ୍ରାବ ହେବା ଦ୍ୱାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ଘଟିବା ପରେ ଠିକାଦାର ଦୁର୍ଗେଶ ଫେରାର ହୋଇଯିବାରୁ ମୃତଦେହ ରଖି ଯୁବକର ସମ୍ପର୍କୀୟମାନେ କ୍ଷତି ପୂରଣ ଦାବିରେ ଅଡ଼ି ବସିଥିଲେ ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

ସ୍ଥାନୀୟଲୋକେ ଘଟଣାସ୍ଥଳ‌ରେ ଜମା ହୋଇ ବେସରକାରୀ ଜମି ଉପରେ ୩୩ କେଭି ବିଦ୍ୟୁତ ଲାଇନ ଯାଇଥିବାରୁ  ଏହାକୁ ପରିବର୍ତ୍ତନ ନ କଲେ ଆଗକୁ ଆହୁରି ଜୀବନ ହାନି ହେବାର ସମ୍ଭାବନା ରହିଥିବାରୁ ବିଦ୍ୟୁତ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

ସେମିଳିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର