ଚନ୍ଦକାରେ ଟଳିପଡିଲା ନନ୍ଦ, ଉଠିବାକୁ ପାଉନି ବଳ

ବାରଙ୍ଗ: ଚନ୍ଦକା ଅଭୟାରଣ୍ୟ ଗୋଡିବାରି ଠାରେ ପୋଷା ଦନ୍ତା ହାତୀ ‘ନନ୍ଦ’ (୩୫) ଶନିବାର ଅଚାନକ ଟଳି ପଡିଲା। ଛାଟିପିଟି ହୋଇ ଉଠିବାକୁ ଚେଷ୍ଟା କରିଲେ ବି ଉଠି ପାରିଲା ନାହିଁ। ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ଚିକିତ୍ସକଙ୍କ ସହାୟତା ଲୋଡା ଯାଇଥିଲା। ରବିବାର ଓୟୁଏଟି ପ୍ରାଣୀ ବିଭାଗ ବିଶେଷଜ୍ଞ ଚିକିତ୍ସକ ଚନ୍ଦକାକୁ ଯାଇ ନନ୍ଦର ସ୍ବାସ୍ଥ୍ୟ ନିରୀକ୍ଷଣ କରି ଚିକିତ୍ସା କରିଛନ୍ତି। ସେମାନେ ନନ୍ଦକୁ ସାଲାଇନ୍‌ ଓ ପ୍ରତିଷେଧକ ଦେଇ ଚିକିତ୍ସା କରିଥିଲେ ମଧ୍ୟ ରିପୋର୍ଟ ଲେଖାାଯିବା ପର୍ଯ୍ୟନ୍ତ ସେ ଉଠି ପାରିନଥିଲା। ଓୟୁଏଟିରୁ ଔଷଧ ବିଭାଗର ମୁଖ୍ୟ ପ୍ରଫେସର ତଥା କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଣୀ ଚିକିତ୍ସା ବିଭାଗର ସଂଯୋଜକ ପ୍ରଫେସର ଡ ନିରଞ୍ଜନ ସାହୁ, ଅସ୍ଥି ଓ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ. ଇନ୍ଦ୍ରମଣୀ ନାଥ, ନନ୍ଦନକାନନର ପ୍ରାଣୀ ବିଶେଷଜ୍ଞ ଡ. ସନ୍ତୋଷ ଗୁପ୍ତା ଯାଇ ନନ୍ଦର ଚିକିତ୍ସା କରିଛନ୍ତି। ଚିକିତ୍ସା ପରେ ବି ନନ୍ଦ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ନ ଆସିବାରୁ ଚିନ୍ତା ବଢିଯାଇଛି। ନନ୍ଦର ରକ୍ତ ନମୂନା ପରୀକ୍ଷା କରିବାକୁ ସ୍ଥିର କରାଯାଇଛି।

ନନ୍ଦ ଏକ କୁମକି ତାଲିମପ୍ରାପ୍ତ ହାତୀ । ଜଙ୍ଗଲ ସୁରକ୍ଷାରେ ନିୟୋଜିତ ହୋଇଥାଏ। ନନ୍ଦ ଗତ ୧୯୮୭ ମସିହା ମଇ ମାସ ୧୪ ତାରିଖରେ ନନ୍ଦନକାନନର ମାଈ ହାତୀ ବାସନ୍ତୀ ଗର୍ଭରୁ ଜନ୍ମ ଲାଭ କରିଥିବା ଏକମାତ୍ର ହାତୀ । ସେ ନନ୍ଦନକାନନରେ ହିଁ ବଢିଥିଲା। କାଳକ୍ରମେ ମସ୍ତ ହୋଇ ଉତ୍ପାତ କରି ଚର୍ଚାକୁ ଆସିଥିଲା। ୧୦ ବର୍ଷ ବୟସର ହୋଇଥିବା ବେଳେ ୧୯୯୭ ମସିହା ନଭେମ୍ବର ମାସ ୨୮ ତାରିଖରେ ମାହୁନ୍ତ ରାଧାରମଣ ସିଂହକୁ କଚାଡି ମାରିଦେଇଥିଲା । ସେହିଦିନ ତା ଗୋଡରେ ଶିକୁଳି ପକାର ହାତୀ ଶାଳରେ ବନ୍ଦି କରି ରଖାଯାଇଥିଲା। ଏହାପରେ କେନ୍ଦ୍ରୀୟ ଚିଡିଆଖାନା କର୍ତୁପକ୍ଷଙ୍କ ନିର୍ଦ୍ଦେଶରେ ୨୦୧୦ ମସିହା ସେପ୍ଟେମ୍ବର ୧୩ ତାରିଖରେ ନନ୍ଦର ମାନସିକ ଅବସ୍ଥା ଅନୁଧ୍ୟାନ କରି ତାକୁ ଶିକୁଳିରୁ ମୁକ୍ତ କରାଯାଇ ନନ୍ଦନକାନନ ପରିସରରେ ପରିକ୍ରମା କରାଯାଇଥିଲା। ପରଦିନ ୧୪ ତାରିଖରେ ଚନ୍ଦକାର କୁମାରଖୁଣ୍ଟିକୁ ନେବାଲାଗି ପ୍ରୟାସ କରିବାରୁ ସେ ନନ୍ଦନକାନନ ପଛ ପାଖ ୯ ନମ୍ବର ଫାଟକ ଡେଇଁବାକୁ ଅମଙ୍ଗ ହୋଇଥିଲା।

ଶେଷରେ ୨୦୧୦ ମସିହା ଅକ୍ଟୋବର ୨୫ ତାରିଖରେ ତାକୁ ନିଶ୍ଚେତକ ଦେଇ ଅଚେତ ଅବସ୍ଥାରେ ଦଶ ଚକିଆ ଟ୍ରକ୍ ରେ ଲଦି କୁମାରଖୁଣ୍ଟିକୁ ନିଆଯାଇଥିଲା। ସେଠାରେ ନନ୍ଦକୁ କୁମକି ପ୍ରଶିକ୍ଷଣ ଦିଆଯାଇଥିଲା। ଗତ ୨୦୧୪ ମସିହା ଜାନୁଆରୀ ୧ ତାରିଖରେ ନନ୍ଦନକାନନକୁ ଅନୁପ୍ରବେଶ କରିଥିବା ଜଙ୍ଗଲି ମାକନା ହାତୀକୁ ଧରିବା ନନ୍ଦର ସହାୟତା ନିଆଯାଇଥିଲା। ସେହି ମାସ ୩ ତାରିଖରେ ନନ୍ଦ ନନ୍ଦନକାନନର ବଯସ୍କା ମାଈ ହାତୀ ପ୍ରେମା ଓ ବାସନ୍ତୀ ସହ ମିଶି ମାକନାକୁ ଧରାଇବାରେ ସହାୟକ ହୋଇଥିଲା। ସେହି ମାସ ୧୦ ତାରିଖ ମସ୍ତ ହେବାରୁ ନନ୍ଦ ନନ୍ଦନକାନନ ଛାଡିବାକୁ ନାରାଜ ହୋଇଥିଲା । ତାକୁ ବହୁ କଷ୍ଟରେ ଚନ୍ଦକା କୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର