ଖୋର୍ଦ୍ଧା ଗ୍ରାମାଂଚଳରେ କରୋନ କହର; ୮୫ ଦିନରେ ୫୩ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର ମହାନଗର ନିଗମ ଅପେକ୍ଷା ଗ୍ରାମାଂଚଳରେ କରୋନା ସଂକ୍ରମଣ ଆପାତତଃ କମ୍ ରହିଛି। କିନ୍ତୁ କରୋନା ସଂକ୍ରମଣର ପ୍ରଥମ ଲହର ଅପେକ୍ଷ ଦ୍ୱିତୀୟ ଲହର ଅଧିକ ଘାତକ ହୋଇଛି। ଗତ ୩ ମାସ ମଧ୍ୟରେ ଗ୍ରାମାଂଚଳରେ ୧୨ ହଜାର ସଂକ୍ରମିତ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଘଟିଛି। ପରିସଂଖ୍ୟାନ ଅନୁସାରେ, ୨୦୨୦ ଅପ୍ରିଲ୍ ଠାରୁ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଖୋର୍ଦ୍ଧା ଗ୍ରାମାଂଚଳରେ ୧୩,୫୦୫ ଜଣ ସଂକ୍ରମିତ ହୋଇଥିଲେ। ଏଥିରେ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୭ଜଣ କରୋନା ଯୋଦ୍ଧା ଥିଲେ। ତେବେ କରୋନା ଦ୍ୱିତୀୟ ଲହରରେ ଟିକା କରୋନା ଯୋଦ୍ଧାଙ୍କୁ ଯଥେଷ୍ଟ ସୁରକ୍ଷା ଦେଇଥିବା ସ୍ପଷ୍ଟ ହୋଇଛି। ଦ୍ୱିତୀୟ ଲହରରେ ବର୍ତମାନ ସୁଦ୍ଧା ୧୫୦ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ପ୍ରାଣହାନୀ ଘଟିଛି। ତେବେ ଦ୍ୱିତୀୟ ଲହରରେ ସାଧାରଣ ନାଗରିକଙ୍କ ଉପରେ ଘାତକ ସାବ୍ୟସ୍ତ ହୋଇଛି। ପ୍ରଥମ ଲହରରେ ଗୋଟିଏ ବର୍ଷରେ ୧୩ ହଜାର ୫୦୫ ଜଣ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ଲହରରେ ଗତକାଲି ସୁଦ୍ଧା ୧୨,୦୮୨ ଜଣ ସଂକ୍ରମିତ ହୋଇଛନ୍ତି। ଅର୍ଥାତ୍ ପ୍ରଥମ ଲହରରେ ଦୈନିକ ୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ଲହରରେ ଦୈନିକ ୧୪୨ ଜଣ ସଂକ୍ରମିତ ହୋଇଛନ୍ତି। ସେହିଭଳି ପ୍ରଥମ ଲହରରେ ୧ ବର୍ଷ ମଧ୍ୟରେ ୫୮ଜଣଙ୍କ ସଂକ୍ରମଣରେ ପ୍ରାଣହାନୀ ଘଟିଥିଲା, କିନ୍ତୁ ଦ୍ୱିତୀୟ ଲହରରେ ଗତ ୩ ମାସ ମଧ୍ୟରେ ୫୩ଜଣଙ୍କ ପ୍ରାଣହାନୀ ଘଟିଛି।

ଅର୍ଥାତ୍ ପ୍ରଥମ ଲହରରେ ପ୍ରତି ୬ ଦିନରେ ଜଣଙ୍କ ସଂକ୍ରମଣ ଜନିତ ମୃତ୍ୟୁ ଘଟିଥିବା ବେଳେ ଦ୍ୱିତୀୟ ଲହରରେ ପ୍ରତି ଦେଢ଼ ଦିନରେ ଜଣଙ୍କ ପ୍ରାଣହାନୀ ହୋଇଛି। ଖୋର୍ଦ୍ଧା ଗ୍ରାମାଂଚଳରେ ଦ୍ୱିତୀୟ ଲହରରେ ସଂକ୍ରମଣ ଜନିତ ମୃତ୍ୟୁରେ ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରେ ସର୍ବାଧିକ ୧୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଟଣୀରେ ୧୪, ବାଲିଅନ୍ତା ଓ ବାଲିପାଟଣାରେ ଜଣେ ଲେଖାଏଁ, ଭୁବନେଶ୍ୱର ବ୍ଲକରେ ୫, ବୋଲଗଡ଼ରେ ୪, ଟାଙ୍ଗୀରେ ୭, ଚିଲିକା- ବାଲୁଗାଁରେ ୪ଜଣଙ୍କ ମୃତ୍ୟୁ ଘଟିଛି। ବର୍ତମାନ ସୁଦ୍ଧା ବେଗୁନିଆ ଓ ବାଣପୁରରେ କାହାରି ମୃତ୍ୟୁ ଘଟିନଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନାରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର