ଟାଟା ମୋଟର୍ସରେ ଚାକିରି ନାଁରେ ୬ଲକ୍ଷ ଟଙ୍କା ଠକେଇ: ବିଧାୟକ ପ୍ରଦୀପ, ପାଠକ ବାପ-ପୁଅ ନାଁରେ ମାମଲା

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିର ନାଁରେ ଟଙ୍କା ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକଙ୍କ ନାମରେ ପୁଣି ଏକ ମାମଲା ରୁଜୁ ହୋଇଛି। ଟାଟା ମୋଟର୍ସରେ ଚାକିରି ଦେବା ପାଇଁ ୬ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ବୈଦ୍ୟନାଥପୁର ଥାନାରେ କେସ୍ ନମ୍ବର ୮୧/୨୧ରେ ମାମଲା ରୁଜୁ ହୋଇଛି। ଗତ ୨୦୨୦ରେ ବ୍ରହ୍ମପୁରର ପୁଲିସ କନ୍‌ଷ୍ଟେବଲ୍‌ କାର୍ତ୍ତିକ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଟାଟା ମୋଟର୍ସରେ ଚାକିରି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଚାକିରି ପାଇଁ ଯେ ‌‌ଯୋଗ୍ୟ ବିବେଚିତ ହେବା ପରେ ତାଙ୍କୁ ପ୍ରଶିକ୍ଷଣ ପାଇଁ ଚିଠି ଆସିଥିଲା। ଏହାପରେ କାର୍ତ୍ତିକ ଏସ୍‌ବିଆଇ ବ୍ୟାଙ୍କରୁ ୬ଲକ୍ଷ ଟଙ୍କା ଋଣ ଆଣିଥିଲେ। ଚାକିରି ପାଇଁ ସେହି ୬ଲକ୍ଷ ଟଙ୍କା ବିଧାୟକ ପ୍ରଦୀପଙ୍କୁ ଦେଇଥିବା କାର୍ତ୍ତିକ ତାଙ୍କର ଏତଲାରେ ଦର୍ଶାଇଛନ୍ତି। ଟଙ୍କା ଦେବା ପରେ ମଧ୍ୟ ଚାକିରି ମିଳି ନଥିଲା। ଏଣୁ କାର୍ତ୍ତିକ ଏହି ଠକେଇ ମାମଲାକୁ ନେଇ ବିଧାୟକ ପ୍ରଦୀପ ଓ ପାଠକ ବାପ-ପୁଅଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏ ଦିଗରେ ଅନୁସଂଧ୍ୟାନ ଜାରି ରଖିଛି।

ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାରେ ପୂର୍ବରୁ ବିଧାୟକ ପ୍ରଦୀପ ଓ ପାଠକ ବାପ-ପୁଅଙ୍କ ନାମରେ ୩ଟି ଠକେଇ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଜିଲ୍ଲା କୋର୍ଟରେ ପ୍ରଦୀପଙ୍କ ଜାମିନ୍‌ ଖାରଜ ହେବାରୁ ତାଙ୍କର ଓକିଲ ମାନ୍ୟବର ହାଇକୋର୍ଟରେ ଆବଦନ କରିଛନ୍ତି। ସେପଟେ ଅଭୟକାନ୍ତଙ୍କ ଜାମିନ୍‌ ଖାରଜ୍‌ ହୋଇଛି। କେବଳ ପୁଅ ଆକାଶଙ୍କୁ ଗୋଟିଏ ମାମଲାରେ ବ୍ରହ୍ମପୁର ସ୍ଥିତ ଏଡିଜେ କୋର୍ଟରୁ ଜାମିନ୍‌ ମିଳିଛି।

ସମ୍ବନ୍ଧିତ ଖବର