ବର୍ଷା ଅଭାବରୁ କମିଛି ଯାଆଁଳ ଉତ୍ପାଦନ, ପ୍ରଭାବିତ ହେବ ମାଛ ଚାଷ!

ପାତ୍ରପୁର: ଚଳିତ ବର୍ଷ ପର୍ଯ୍ୟାପ୍ତ ବର୍ଷା ଅଭାବରୁ ଖରିଫ୍ ଧାନଚାଷ ପ୍ରଭାବିତ ହୋଇଥିବା ବେଳେ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଖାଲି ଏତିକି ନୁହେଁ, ବର୍ତ୍ତମାନ ମାଛଚାଷ ବି ବର୍ଷା ଅଭାବରୁ ପ୍ରଭାବିତ ହେବା ଆଶଙ୍କା ଉପୁଜିଲାଣି। ବିଭିନ୍ନ ପୋଖରୀ ଗୁଡ଼ିକ ଶୁଖିଲା ପଡ଼ିଥିବା ବେଳେ ଯାଆଁଳ ଉତ୍ପାଦନ ବି ବହୁଗୁଣରେ କମିଛି।

ଜଗନ୍ନାଥପ୍ରସାଦ ବ୍ଲକ୍ ଗେରେଡ଼ା ପଞ୍ଚାୟତ ଦୁବରେ ଥିବା ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ସ୍ବୀକୃତିପ୍ରାପ୍ତ ଗଞ୍ଜାମର ଏକ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରର ସ୍ଥିତି ପରଖିବା ବେଳେ ଜଣାପଡ଼ିଥିଲା, ଏଠାରେ ରୋହି, ଭାକୁର, ସିର, ଗ୍ରାସକପ୍, ଅମୁରକ୍ରାପ, କମକ୍ରା, ସିଲଭର କ୍ରାପ ଓ ଜଇନ୍ତ ରୋହି ଭଳି ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ଉତ୍ପାଦିତ ହେଉଥିଲା। ଏଠାରୁ ଗଞ୍ଜାମ, ଗଜପତି, ନୟାଗଡ଼, ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ରାୟଗଡା ଓ ନବରଙ୍ଗପୁର ଭଳି ବିଭିନ୍ନ ଜିଲ୍ଲାକୁ ଯାଆଁଳ ପଠାଯାଇଥାଏ। ଏହାସହ ମାଛଚାଷ ପାଇଁ ନିଜର ୪୦ ଏକର ଜାଗାରେ ପାଞ୍ଚଟି ପୋଖରୀ ରହିଥିବା ସୁଶାନ୍ତ ପ୍ରଧାନ କହିଛନ୍ତି।

କିନ୍ତୁ ଚଳିତ ବର୍ଷ ବର୍ଷା ଅଭାବରୁ ପୋଖରୀରେ ପାଣି ନାହିଁ। ଯାହାଫଳରେ ମାଛ ଚାଷ ହୋଇପାରିବ ନାହିଁ। ପାଣିର ଅଭାବକୁ ଲକ୍ଷ୍ୟରେ ରଖି ଯାଆଁଳ ଉତ୍ପାଦନ ବି କମିଛି। ପ୍ରତି ବର୍ଷ ୫୦ କୋଟି ସ୍ପନ୍ ଉତ୍ପାଦନ ହେଉଥିବା ବେଳେ ଚଳିତ ବର୍ଷ ବର୍ଷା ଅଭାବରୁ ମାତ୍ର ୬ କୋଟି ସ୍ପନ୍ ଉତ୍ପାଦନରେ ସୀମିତ ରହିଛି। ତଥାପି ବ୍ୟବସାୟ ମାନ୍ଦା ରହିଥିବା ସେ କହିଛନ୍ତି। ଏହିସମୟରେ ଯାଆଁଳ ପାଇଁ ବ୍ୟବସାୟୀଙ୍କ ଭିଡ଼ ଜମିବା କଥା। ହେଲେ କେନ୍ଦ୍ର ଖାଁ ଖାଁ ପଡ଼ିଛି।

ସମ୍ବନ୍ଧିତ ଖବର