କଣ୍ଟାଗୋଠ ନିକଟରୁ ୫ ଦିନ ପରେ ମିଳିଲା ସହକର୍ମୀଙ୍କ ମୃତଦେହ

ବାଲିଅନ୍ତା:ବାଲିଅନ୍ତା ଥାନା ଅଧୀନ ଅଟଳାଗଡ଼ା ନିକଟ ଶିବସକ୍ତିନଗରସ୍ଥିତ ପୁରୀ ମୁଖ୍ୟ କେନାଲ ନିକଟରେ କାର ଓଲଟି ନିଖୋଜ ଅନ୍ୟ ଜଣେ ଯୁବକ ମହେନ୍ଦ୍ର କୁମାର ସିଂହଙ୍କ ମୃତଦେହ ଆଜି ଉକ୍ତ କେନାଲର କଣ୍ଟାଗୋଠ ନିକଟରୁ ଉଦ୍ଧାର ହୋଇଛି। ସ୍ଥାନୀୟ ସତ୍ୟଭାମାପୁର ପଞ୍ଚାୟତ ଅଧୀନ କଣ୍ଟାଗୋଠ ନିକଟରେ ଏକ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକ ବାଲିଅନ୍ତା ଥାନାକୁ ଫୋନ କରି ଜଣାଇଥିଲେ।

ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ଅପରାହ୍ନରେ ବ୍ୟବଚ୍ଛେଦ କରାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏଥିପୂର୍ବରୁ ଅନୁରୂପ ଭାବେ ମହେନ୍ଦ୍ରଙ୍କ ସହକର୍ମୀ କାର ଚାଳକ ସନ୍ଦୀପ କୁମାରଙ୍କ ଶବ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ହେଲେ ମହେନ୍ଦ୍ରଙ୍କ ମୃତଦେହ କିନ୍ତୁ ମିଳି ନଥିଲା। ନିଖୋଜ ଘଟଣାର ୫ଦିନ ପରେ ଆଜି ପୁଲିସ ୮ କିମି ଦୂର କଣ୍ଟାଗୋଠ ନିକଟରୁ ଆଜି ମହେନ୍ଦ୍ରଙ୍କ ଶବ ଉଦ୍ଧାର କରିଛି।

ସୂଚନାଯୋଗ୍ୟ ରାଜସ୍ଥାନର ଉଭୟ ସନ୍ଦୀପ ଓ ମହେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ରହି ଏକ ଟ୍ରାନ୍ଯପୋର୍ଟ ସଂସ୍ଥାରେ କାମ କରୁଥି‌ଲେ। ଗତ ୩ ତାରିଖ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ କାର ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡ଼ିଥିଲା। ଫଳରେ ଉଭୟ ସନ୍ଦୀପ ଓ ମହେନ୍ଦ୍ର ନିଖୋଜ ହୋଇଯାଇଥିଲେ। ହେଲେ ୫ ତାରିଖ ପୂର୍ବାହ୍ନରେ ସନ୍ଦୀପଙ୍କ ମୃତଦେହ ବାଲିଅନ୍ତା ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟାଳୟ ନିକଟରୁ ଉଦ୍ଧାର ହୋଇଥିବା ବେଳେ ଆଜି ମହେନ୍ଦ୍ରଙ୍କୁ କଣ୍ଟାଗୋଠ ନିକଟରୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର