୨୩ଟି ଥାନାରେ ପଡିଛି ୧୬୩.୩୦ ଟନ୍‌ ଗଞ୍ଜେଇ

ମାଲଖାନା ଫୁଲ, ନଷ୍ଟ କରିବାକୁ ଯୋଜନା କରୁଛି ଜିଲ୍ଲା ପୁଲିସ

କୋରାପୁଟ: କେଉଁଠି ଜବତ ଗାଡିରେ ରହିଛି ଜବତ ହୋଇଥିବା ଗଞ୍ଜେଇ। ଆଉ କେଉଁଠି କୋର୍ଟ ମାଲଖାନାରେ ଜବତ ହୋଇଥଇବା ଗଞ୍ଜେଇ ସ୍ଥାନ ଅଭାବରୁ ଥାନାରେ ରହିଛି। କୋରାପୁଟ ଓ ଜୟପୁର କୋର୍ଟରେ ସ୍ଥାନ ଅଭାବ ହେତୁ ମାଲଖାନା ବଦଳରେ ଏବେ ଯେଉଁ ଥାନାରେ ମାମଲା ସେହି ଥାନାରେ ପଡି ରହିଛି ଟନ୍‌ ଟନ୍‌ ଗଞ୍ଜେଇ। କୋରାପୁଟ ଜିଲ୍ଲାର ୫ ବର୍ଷରେ ୧ଲକ୍ଷ ୬୩ ହଜାର ୩୦୦ କେଜି ଗଞ୍ଜେଇ ୨୩ଟି ଥାନାରେ ପଡିଥବାବେଳେ ଏହାକୁ ନଷ୍ଟ ନଷ୍ଟ କରାଯିବାକୁ ଯୋଜନା କରାଯାଉଛି। ତେବେ ନିକଟରେ ଭୁବନେଶ୍ବରରେ ଗଞ୍ଜେଇକୁ ନଷ୍ଟ କରାଯାଇଥିଲା। ଜିଲ୍ଲାରେ ଏବେ ଗଞ୍ଜେଇ ରଖିବାକୁ ନ ଥିବାବେଳେ କୋରାପୁଟରେ କେବେ ଅବିଭବ ତରିକାରେ ନଷ୍ଟ କରାଯିବ ତାହା ସ୍ପଷ୍ଟ ହୋଇ ପାରିନାହିଁ।

ଦିନେ ନୁହେଁ କି ଅଧେ ନୁହେଁ ଗତ ୫ବର୍ଷ‌ରୁ ଅଧିକ ଦିନ ହେବ ଏକ ଗଞ୍ଜେଇ ଚାଲାଣ ହୋଇ ଧରା ପଡିଥିବା କଣ୍ଟେନରରେ କୋରାପୁଟ, ଜୟପୁର, ଲକ୍ଷ୍ମୀପୁର, ସୁନାବେଢା ଓ ବୋରିଗୁମ୍ମା ଏସଡିପିଓଙ୍କ ଅଧିନରେ ରହିଥିବା ୧୦ରୁ ଅଧିକ ଥାନାରେ ରହିଥିବା କଣ୍ଟେନରରେ ରହିଛି ଗଞ୍ଜେଇ। କୋରାପୁଟ ଜିଲ୍ଲା ଜୟପୁରରେ ରହିଥିବା କୋର୍ଟ ମାଲଖାନାରେ ରଖିବାକୁ ସ୍ଥାନ ନଥିବାରୁ ଜୟପୁର ସଦର ଥାନା ପରିସରରେ ରହିଥିବା ଏକ କଣ୍ଟେନରରେ ରହିଛି କୋଟି କୋଟି ଟଙ୍କାର ଗଞ୍ଜେଇ। ଆଉ ଯେଉଁ ଗଞ୍ଜେଇ ଧରା ପଡିଲା ତାହାକୁ ଏହିଠାରେ ରଖାଯାଉଛି। ୨୦୧୮ ମସିହାରେ କୋରାପୁଟ ଜିଲ୍ଲାର ୪ଟି ଏସଡିପିଓଙ୍କ ଅଧୀନରେ ୫୮ଟି ମାମଲା ରୁଜୁ ହୋଇଥିବାବେଳେ ୧୬,୬୦୦ କେଜି, ୨୦୧୯ରେ ୧୦୩ଟି ମାମଲା ରୁଜୁ ହୋଇଥିବାବେଳେ ୧୬,୪୦୦ କେଜି, ୨୦୨୦ରେ ୧୪୮ଟି ମାମଲା ରୁଜୁ ହୋଇଥିବାବେଳେ ୫୭,୬୦୦ କେଜି, ୨୦୨୧ରେ ୧୫୪ଟି ମାମଲା ରୁଜୁ ହୋଇଥିବାବେଳେ ୫୩,୦୦୦ କେଜି ଓ ୨୦୨୨ ଅଗଷ୍ଟ ମାସ ସୁଦ୍ଧା ୯୧ଟି ମାମଲା ରୁଜୁ ହୋଇଥିବାବେଳେ ୧୯୭୦୦ କେଜି ଗଞ୍ଜେଇ ଜବତ ହୋଇଛି।

ଏବେ ଯାଏ ୫ ବର୍ଷ ମଧ୍ୟରେ ଜିଲ୍ଲାରେ ୧ ଲକ୍ଷ ୬୬ ହଜାର ୩୩୦ କେଜି(୧୬୩.୩୦ ମେଟ୍ରିକ୍ ଟନ୍) ଗଞ୍ଜେଇ ଜବତ ହୋଇଥିବାବେଳେ ଏହାକୁ ନଷ୍ଟ କରାଯିବାକୁ ଯୋଜନା ଚାଲିଛି। ରାଜ୍ୟ ତଥା ରାଜ୍ୟ ବାହାର ଗଞ୍ଜେଇ ମାଫିଆଙ୍କୁ ପୁଲିସ ପଣ କରିଥିବାବେଳେ ଥମିବାର ନାଁ ନେଉନି ଗଞ୍ଜେଇ ଚୋରା ଚାଲାଣ। ପ୍ରତିଦିନ କୋରାପୁଟ ଜିଲ୍ଲାର ଲମତାପୁଟ, ପାଡୁଆ, ସେମିଳିଗୁଡା, ଜୟପୁର, ବୈପାରିଗୁଡା, ବୋରିଗୁମ୍ମା, କୋଲାବ, ମାଛକୁଣ୍ଡ ଥାନା ସହ ମାଲକାନଗିରି ଜିଲ୍ଲାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ। ମୁଖ୍ୟତଃ କୋରାପୁଟ ଜିଲ୍ଲା ଗଞ୍ଜେଇ ହରିୟଣା, ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ଛତିଶଗଡ ଓ ଦିଲ୍ଲୀରେ ନାହିଁ ନଥିବା ଚାହିଦା ରହିଥିବାରୁ ଚୋରା ଚାଲାଣ ସଂଖ୍ୟା ବୃଦ୍ଧି ପାଇଛି।

Sambad

ପୂର୍ବରୁ କୋରାପୁଟ ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଉଥିବାବେଳେ ଏହି ଧାରା ୫ବର୍ଷ ହେଲା ବୃଦ୍ଧି ପାଇଥିଲା। ଲକଡାଉନ ସମୟରେ ଏପରି ବୃଦ୍ଧି ପାଇଥିଲା ଯେ ପାଣି ଟାଙ୍କି, ତେଲ ଟାଙ୍କି, ଆମ୍ବୁଲାନ୍ସ, କଣ୍ଟେନର, ଓଡ଼ିଶା ପୋଷ୍ଟର କଣ୍ଟେନର, ମଶାରୀ ଟ୍ରକ୍‌, ଏକ୍ସୟୁଭି ସହ ବହୁ ଦାମୀ ଗାଡିରେ ଏହା ଯାଉଥିଲା। ଏବେ ପୁଲିସର ଧରପଗଡ ପରେ ମଧ୍ୟ ଗଞ୍ଜେଇ ଚାଲାଣ ବନ୍ଦ ହେଉନାହିଁ।

କୋରାପୁଟ ଜିଲ୍ଲାର ୨୩ଟି ଥାନାରେ ଏବେ ୨୨ରୁ ଅଧିକ ଟ୍ରକ୍‌, ୨୭ଟିରୁ ଅଧିକ ଏକ୍ସୟୁଭି, ୫୫ଟିରୁ ଅଧିକ ପିକଅପ୍‌, ୧୨୨ରୁ ଅଧିକ ବିଭିନ୍ନ କାର ଓ ୨୨୫ଟିରୁ ଅଧିକ ବାଇକ୍‌ ଜବତ ହୋଇଛି। ଜୟପୁର ସଦର ଥାନାରେ ଏବେ ଏହି ଗାଡି ରଖିବାକୁ ଜାଗା ନ ଥିବାବେଳେ ଗାଗନାପୁର, ଆମ୍ବାଗୁଡା ଓ ବାରିଣିପୁଟ ଫାଣ୍ଡି ଅଞ୍ଚଳକୁ ଗାଡି ସବୁ ସ୍ଥାନାନ୍ତର କରାଯାଉଛି। ଗଞ୍ଜେଇ ଚୋରା ଚାଲାଣରେ ଏହି ବ୍ୟବହୃତ ଯାନ ଗୁଡିକର ଆନୁମାନିକ ୫ କୋଟି ମୂଲ୍ୟର ଅଧିକ ଦାମୀ ଗାଡି ଧରା ପଡିଛି। ପୂର୍ବରୁ କୋଟି କୋଟି ଟଙ୍କା ମୂଲ୍ୟର ଗାଡି ଖତ ଖାଉଥିବାବେଳେ ଏହି ତାଲିକାରେ ଯୋଡି ହୋଇଛି ଆହୁରି ହଜାର ହଜାର ଦାମୀ ଗାଡି। ତେବେ ମାଲଖାନାରେ ଗଞ୍ଜେଇ ରଖିବାକୁ ସ୍ଥାନ ଅଭାବ ହେତୁ ଥାନାରେ ଗଞ୍ଜେଇ ରଖାଯାଉଥିବାରୁ ଏହାର ଭରପୁର ସୁଯୋଗ ନେଇଛନ୍ତି କିଛି ଅସାଧୁ କର୍ମଚାରୀ। ବଡ ବଡିଆଙ୍କ ବିନା ଅନୁମତିରେ ଏହାକୁ ବିକ୍ରି କରୁଥିବା ଅଭିଯୋଗ ଆସିଛି। ଏନେଇ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ ଏବେ କୋର୍ଟ ମାଲଖାନାରେ ସ୍ଥାନାଭାବ ହେତୁ ପ୍ରତି ଥାନାକୁ କୋର୍ଟ ମାଲଖାନା ଭାବେ ବ୍ୟବହାର କରାଯାଉଛି। ଜୟପୁରରେ ରହିଥିବା ଅବକାରୀ ଗୋଡାଉନରେ ଏହି ଜବତ ହୋଇଥିବା ଗଞ୍ଜୋଇକୁ ରଖିବାକୁ ଯୋଜନା କରୁଛୁ। ଏହାସହ କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ଗଞ୍ଜେଇ ନଷ୍ଟକରିବାକୁ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର