ଯୁବକଙ୍କୁ ପିଟି ପିଟି ହତ୍ୟା : ମାମଲା ରୁଜୁ, ବଡ଼ଭାଇ ଅଟକ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁୁରୁଷୋତ୍ତମପୁର ଥାନା ଅଧୀନ ଭାଟକୁମରଡ଼ା ଗ୍ରାମରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ସାର୍ଗୁଣାପଲ୍ଲୀ ଗ୍ରାମର କୈଳାସ ପ୍ରଧାନ (୨୮)। ଏହି ଘଟଣାରେ ମୃତକଙ୍କ ବଡ଼ଭାଇଙ୍କୁ ପୁଲିସ୍‌ ଅଟକ ରଖିଛି। ପାରିବାରିକ କଳହ କିମ୍ବା ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

କୈଳାସ ଗତକାଲି ରାତିରେ ଦଣ୍ଡନାଟ ଦେଖିବାକୁ ଶାର୍ଗୁଣାପଲ୍ଲୀ ଗ୍ରାମରୁ ଭାଟକୁମରଡ଼ା ଆସିଥିଲେ। ଆଜି ଭୋର୍‌ରେ ଭାଟକୁମରଡ଼ା ଡାକ୍ତରଖାନା ସାମ୍ନାରେ ଥିବା ଲକ୍ଷ୍ମୀ ସାହୁ ନାମକ ଜଣେ ମହିଳାଙ୍କ ପରିତ୍ୟକ୍ତ ଘର ବାରଣ୍ଡାରେ କୈଳାସଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଆଖି, କାନ, ନାକ ଓ ପାଟିରୁ ପ୍ରବଳ ରକ୍ତ ବାହାରୁଥିବା ବେଳେ ଦେହସାରା କ୍ଷତ ଚିହ୍ନ ରହିଥିଲା। ବାପା ଦେବ ସେଠାରେ ପହଞ୍ଚି ପୁଅର ଶବକୁ ଚିହ୍ନଟ କରିଥିଲେ। ଏହା ପରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସଂଧାନୀ କୁକୁରକୁ ଅଣାଯାଇ ତଦନ୍ତ କରାଯାଇଥିଲା। ଏହି ଘଟଣା ଭାଟକୁମରଡ଼ା ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କେହି କେହି ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି। ପାରିବାରିକ ବିବାଦ ଓ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ପୁଲିସ କେସ୍‌.ନଂ ୭୮ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତକଙ୍କ ବଡ଼ଭାଇ ରବୀନ୍ଦ୍ରକୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଥାନା ଅଧିକାରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର