ବିଚ୍‌ ରାସ୍ତାରେ ହାଣିଦେଲେ

ଦୁଇ ବାଇକ୍‌ରେ ଥିଲେ ୫ରୁ ୬ ଦୁର୍ବୃତ୍ତ, ରକ୍ତଭିଜା କୁରାଢ଼ି ଜବତ

ଶେରଗଡ଼ : ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ଶେରଗଡ଼ ଥାନା ଗୋବିନ୍ଦପୁର ଗ୍ରାମରେ କୃଷ୍ଣ ସ୍ୱାଇଁ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କୃଷ୍ଣ ଆଜି ଅପରାହ୍ନ ୪ଟାରେ ଘରୁ ଚାଲି ଚାଲି କୌଣସି କାମରେ ଯାଉଥିବା ବେଳେ ଦୁଇଟି ବାଇକ୍‌ରେ ୫ରୁ ୬ଜଣ ଯୁବକ ଆସି ତାଙ୍କୁ କାତି, କୁରାଢି ଓ ଟାଙ୍ଗିଆରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଏତେ ଭୟାନକ୍‌ ଥିଲା ଯେ, କୃଷ୍ଣଙ୍କ ମୁଣ୍ଡ, ମୁହଁ, ବେକ ଓ ଛାତି ପ୍ରବଳ ଆଘାତ ଲାଗିଥିଲା। ଖାଲି ଏତିିକି ନୁହେଁ, ମୁହଁ ଚିହ୍ନିବା କଷ୍ଟକର ହେବା ସହ ଅନ୍ତଃ ବୁଜୁଳା ମଧ୍ୟ ବାହାରକୁ ପଳାଇ ଆସିଥିଲା।

ଗତ ଆଠମାସ ତଳେ ଅର୍ଥାତ୍‌ ଗତବର୍ଷ ସେପ୍ଟେମ୍ବର ୭ ତାରିଖରେ କୃଷ୍ଣଙ୍କୁ ଅନୁରୂପ ଭାବେ ସଶସ୍ତ୍ର ଆକ୍ରମଣ ସହ ପଥରରେ ଛେଚି ହତ୍ୟା ଉଦ୍ୟମ କରା ଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ସେ ଏଥିରୁ ବର୍ତି ଯାଇଥିଲେ। ଏହି ଘଟଣାର ଠିକ୍‌ ୮ ମାସ ପରେ ପ୍ରତିଶୋଧପରାୟଣ ହୋଇ ଉଠିଥିବା ବିପକ୍ଷ ଗୋଷ୍ଠୀ କୃଷ୍ଣଙ୍କୁ ହତ୍ୟା ଯୋଜନା କରି ସଫଳ ହୋଇଛନ୍ତି। ହିଞ୍ଜିଳି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଶେରଗଡ଼ ଥାନା ଅଧିକାରୀ ବିଶ୍ୱରଂଜନ ନାୟକ ସଦଳବଳ ଯାଇ ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରକ୍ତଭିଜା କୁରାଢି ଜବତ କରାଯାଇଛି। ମୃତକ କୃଷ୍ଣଙ୍କ ଭାଇ ସ୍ୱାଧୀନ ଥାନାରେ ଏତଲା ଦେବା ପରେ କେସ୍‌.ନଂ ୩୨ ଅନୁସରରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଗ୍ରାମର ଜଣେ ଯୁବକ ଓ ତାଙ୍କର କିଛି ସହଯୋଗୀ ଏଥିରେ ସଂପୃକ୍ତ ଥିବା ସେ ଉଲ୍ଲେଖ କରିଛନ୍ତି।

ଆଜି ଅପରାହ୍ନ ୪ଟାରେ କୃଷ୍ଣ ତାଙ୍କ ନିଜ ଘରୁ ବାହାରି ଚାଲି ଚାଲି ଯାଉଥିବା ବେଳେ ମାତ୍ର ୧୫୦ ମିଟର ଦୂର ଶେରଗଡ଼-ହିଞ୍ଜିଳି ମୁଖ୍ୟରାସ୍ତାରେ ହିଞ୍ଜିଳିକାଟୁ ପଟୁ ଆସୁଥିବା ଦୁଇଟି ବାଇକ୍‌ ତାଙ୍କ ପାଖରେ ପହଞ୍ଚିଥିଲା। ୫ରୁ ୬ଜଣ ଯୁବକ କୃଷ୍ଣଙ୍କ ପାଖକୁ ଆସି କିଛି କହିବା ପୂର୍ବରୁ କାତି, କୁରାଢି, ଟାଙ୍ଗିଆରେ ଆକ୍ରମଣ କରି ଚାଲିଥିଲେ। ଶରୀରର ବିଭିନ୍ନ ଜାଗାକୁ ଚୋଟ ପକାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଦୁର୍ବୃତ୍ତ ମାନେ ବାଇକ୍‌ରେ ସେଠାରୁ ଚମ୍ପଟ୍‌ ମାରିଥିଲେ। ଆଉ କୁରାଢିକୁ ଏକ ନାଳରେ ଫୋପାଡ଼ି ଦେଇ ଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଗ୍ରାମରେ ଚଢଉ ଜାରି ରଖିଛି।

ସମ୍ବନ୍ଧିତ ଖବର