ଉଜ୍ବଳା ଯୋଜନାରେ ମାଗଣା ଗ୍ୟାସ ଦେବାକୁ କହି ଖାଲି ସିଲିଣ୍ଡର ନେଇଗଲେ ଦୁବୃର୍ତ୍ତ

ଭଞ୍ଜନଗର: ମାଗଣାରେ ମିଳିବ ଫୁଲ୍ ଗ୍ୟାସ ହାଣ୍ଡି। ସରକାରଙ୍କ ଉଜ୍ବଳା ଯୋଜନାରେ ଗରିବ ଲୋକଙ୍କୁ ମିଳିବ ଏହି ସୁବିଧା ଏଭଳି ପ୍ରଲୋଭନ ଦେଖାଇ ନୀରିହ ଗରିବ ଆଦିବାସୀ ମାନଙ୍କ ଠାରୁ ଖାଲି ଗ୍ୟାସ ସିଲିଣ୍ଡର ଦୁବୃର୍ତ୍ତ ମାନେ ନେଇ ପଳାଇଥିବା ଅଭିଯୋଗ ଆସିଛି। ଭଞ୍ଜନଗର ଥାନା ଦଦରଲୁଣ୍ଡା ପଞ୍ଚାୟତର ସୁତାଙ୍ଗି ଗ୍ରାମରୁ। ଗତ ତିନି ଚାରି ଦିନ ତଳେ କିଛି ବ୍ୟକ୍ତି ଏକ ନୀଳ ରଙ୍ଗର ଡାଲା ଗାଡି ଧରି ଆସି ଗ୍ୟାସ କମ୍ପାନିରୁ ଆସିଥିବା କହିଥିଲେ। ଏଥିସହ ଉଜ୍ବଳା ଯୋଜନାରେ ସେମାନଙ୍କୁ ମାଗଣା ଗ୍ୟାସ ମିଳିବ ସେଥିପାଇଁ ସେମାନଙ୍କୁ ନିଜ ପାଖରେ ରଖିଥିବା ଖାଲି ହାଣ୍ଡି ଦେଲେ ଦିନେ କି ଦୁଇ ଦିନରେ ଫୁଲ୍ ହାଣ୍ଡି ଦିଆଯିବ ବୋଲି କହିଥିଲେ।

ସେମାନଙ୍କ କଥାରେ ବିଶ୍ବାସ କରି ଗ୍ରାମବାସୀ ଖାଲି ହାଣ୍ଡି ଦେଇଥିଲେ। କିନ୍ତୁ ୪ଦିନ ବିତିଲା ପରେ ମଧ୍ୟ କୌଣସି ଗ୍ୟାସ ନମିଳିବାରୁ ଦଦରଲୁଣ୍ଡା ଠାରେ ଥିବା ଜଣେ ବ୍ୟବସାୟୀକୁ ଆସି ପଚାରି ଥିଲେ। ତେବେ ଏଭଳି ଭାବେ କମ୍ପାନି ପକ୍ଷରୁ ଗ୍ୟାସ ସଂଗ୍ରହ ହେଉନଥିବା ବେଳେ ସେମାନେ ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ। ପ୍ରାୟ ୧୨ ଜଣଙ୍କ ଘରୁ ଏଭଳି ଖାଲି ଗ୍ୟାସ ହାଣ୍ଡି ଠକେଇ କରି କେହି ନେଇ ଯାଇଥିବା ଅଭିଯୋଗ ହୋଇଛି। ଏସଂର୍ପକରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର