ବାରିପଦା ଜେଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା ହାଇଦର ସ୍ଥାନାନ୍ତରଣ ସୂଚନା

କରାଯାଇଥିଲା ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ସିସିଟିଭି ଲାଗିଥିବା ସ୍ୱତନ୍ତ୍ର ସେଲରେ ରହିଥାନ୍ତା ଗ୍ୟାଙ୍ଗଷ୍ଟର

ବାରିପଦା: ଚଳିତ ସପ୍ତାହରେ ହିଁ ବାରିପଦା ଜେଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା ଜଣାଶୁଣା ଗ୍ୟାଙ୍ଗଷ୍ଟର ହାଇଦରର ସ୍ଥାନାନ୍ତରଣ ସୂଚନା। ସୁରକ୍ଷା ଦୃଷ୍ଟିରୁ କଟକର ଚୌଦାର ଜେଲରୁ ବାରିପଦା ଜେଲକୁ କେନ୍ଦ୍ରାପଡ଼ାର ମୂଳନିବାସୀ ବା ଗ୍ୟାଙ୍ଗଷ୍ଟର ହାଇଦର ଆସିବା ନେଇ ମାତ୍ର ଚାରି ଦିନ ଆଗରୁ ଆସିଥିଲା ସୂଚନା। ଏନେଇ ସମସ୍ତ ପ୍ରକ୍ରିୟା ବେଶ ଗୁପ୍ତ ରଖାଯାଇଥିବା ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଅଧିକାରୀ। ସ୍ଥାନାନ୍ତରଣ ନିର୍ଦେଶ ପାଇବା ପରେ ବାରିପଦା ଜେଲ କର୍ତ୍ତୃପକ୍ଷ ତତ୍ପର ହୋଇ ପଡିଥିଲେ। କମ୍‌ ସମୟ ମଧ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପାଇଁ ହୋଇଥିଲା କଡା ସୁରକ୍ଷା ବ୍ୟବସ୍ଥା। ଏ ନେଇ ସିସିଟିଭି ଲାଗିଥିବା ଜେଲର ଏକ ସ୍ୱତନ୍ତ୍ର ସେଲରେ ଗ୍ୟାଙ୍ଗଷ୍ଟର ହାଇଦର ରହିବା ନେଇ ହୋଇଥିଲା ବ୍ୟବସ୍ଥା। ଏହି ସେଲରେ ୨୪ ଘଣ୍ଟିଆ ଗାର୍ଡ ବ୍ୟବସ୍ଥା ହୋଇଥିବା ଜେଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୪ ଘଣ୍ଟିଆ ଜେଲ ଅଧିକାରୀ ଏବଂ କର୍ମଚାରୀଙ୍କ ନଜରର ରହୁଥିବା ସ୍ଥାନ ବଛା ଯାଇଥିଲା ହାଇଦର ପାଇଁ। ସେହିପରି ଜେଲର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଥିଲା।

ଯେହେତୁ ହାଇଦର ପୂର୍ବରୁ ଫେରାର ହେବାର ଚାଲାକି କରିସାରିଛି, ତେଣୁ ବାରିପଦାରେ ତାକୁ କୌଣସି ସୁଯୋଗ ଦିଆ ନଯିବା ନେଇ ହୋଇଥିଲା ବ୍ୟାପକ ବନ୍ଦୋବସ୍ତ। ସେହିପରି ଅନ୍ୟାନ୍ୟ ଅପରାଧିକ ପୃଷ୍ଠଭୂମି ଥିବା ବନ୍ଦୀ ଏବଂ ସଜା କାଟୁଥିବା ବନ୍ଦୀଙ୍କ ସହିତ ହାଇଦର ଯେପରି ନ ମିଶିପାରେ ସେନେଇ ଦୃଷ୍ଟି ଦିଆଯାଇଥିଲା। ତେବେ ଆଜି ଚୌଦାର ଜେଲରୁ ହାଇଦରକୁ ବାରିପଦା ଅଣାଯିବା ବେଳେ ବାଲେଶ୍ବର ଜିଲ୍ଲା ଶିମୁଳିଆ ନିକଟରେ ପରିସ୍ରା ବାହାନାରେ ଖସି ଯିବାକୁ ଚେଷ୍ଟା କରିଥିଲା ଏହି ଅପରାଧୀ। ଫଳରେ ପୁଲିସ ଗୁଳିରେ ପ୍ରାଣ ହରାଇଛି ହାଇଦର। ତେଣୁ ଏହି ଗ୍ୟାଙ୍ଗଷ୍ଟର ଆଉ ବାରିପଦା ଜେଲକୁ ଆସିବାର ନାହିଁ। ତେବେ ପୂର୍ବରୁ ବାରିପଦା ଜେଲରେ ଅନେକ ଜଣାଶୁଣା ଅପରାଧୀଙ୍କ ସମେତ ଏକାଧିକ ମାଓବାଦୀ ମଧ୍ୟ ସଜା କାଟି ସାରିଛନ୍ତି। ଏଠାକାର ସୁରକ୍ଷା ବ୍ୟବସ୍ଥା ଉପରେ ରାଜ୍ୟ ପୁଲିସର ଭରସା ଥିବାରୁ ହାଇଦର ଭଳି ଜଣେ ଅପରାଧୀକୁ ଏଠାକୁ ଅଣାଯାଉଥିଲା। ଆଜିକା ଦିନରେ କଟକର ଜଣେ ଜଣାଶୁଣା ଗ୍ୟାଙ୍ଗଷ୍ଟର ବାରିପଦା ଜେଲରେ ରହି ସଜା କାଟୁଛି। ସେକ ରାଉଳ ନାମକ ଉକ୍ତ ଅପରାଧୀ ମଧ୍ୟ ଚୌଦାର ଜେଲରୁ ବାରିପଦା ଆସିଛି।

ସମ୍ବନ୍ଧିତ ଖବର