ଖୋର୍ଦ୍ଧାରେ ବେଆଇନ ବନ୍ଧୁକ କାରଖାନା ଠାବ, ୨ ଗିରଫ

୩ ବନ୍ଧୁକ, ୬ ଟି ଅଫୁଟା ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁଠାରେ ଏକ ପରିତ୍ୟକ୍ତ ଘରେ ଚାଲୁଥିବା ବେଆଇନ ବନ୍ଧୁକ କାରଖାନା ଉପରେ ଚଢ଼ଉ କରି ୨ ପେଷାଦାର ଅପରାଧୀଙ୍କୁ ଗିରଫ କରିବା ସହ, ୩ଟି ବନ୍ଧୁକ, ଅଫୁଟାଗୁଳି, ବିସ୍ଫୋରକ ଓ ବନ୍ଧୁକ ନିର୍ମାଣ ସାମଗ୍ରୀ ଆଦି ଜବତ କରାଯାଇଛି ।

ଆଜି ଅପରାହ୍ଣରେ ଖୋର୍ଦ୍ଧା ସଦର ଥାନାରେ ଏନେଇ ସୂଚନା ଦେଇ ଖୋର୍ଦ୍ଧା ଏସପି ଅଲେଖ ପହି କହିଛନ୍ତି ଯେ ୨୬ ତାରିଖ ସଂଧ୍ୟାରେ ଜଙ୍କିଆ ଥାନା ଅନ୍ତର୍ଗତ ଖଜୁରିଆ ମୌଜାରେ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ ଘରେ ବେଆଇନ ବନ୍ଧୁକ କାରଖାନା ଚାଲୁଥିବା ସୂଚନା ମିଳିଥିଲା । ଏହାପରେ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଆଇଆଇସି ଜଙ୍କିଆ ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ, ଏସ୍ଆଇ ବେଣୁଥର ରାୟ, ଏସ୍ଆଇ ଭାଗ୍ୟଶ୍ରୀ ବେହେରା ଏଏସ୍ଆଇ ଶରତ କୁମାର ପାଇକରାୟ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ଉ କରାଯାଇଥିଲା ।

ଚଢ଼ଉରେ ବାଣପୁର ନରଣଦେଈପୁରର ଦିଲିପ କୁମାର ଦାସ ଓରଫ କାର୍ତିକ ଦାସ ଓରଫ ବିଦେଶୀ (୨୭) ଓ ଗଂଜାମ ଜିଲ୍ଲା ଖଲିକୋଟ ଲଙ୍ଗଳେଶ୍ୱରର ତ୍ରିଲୋଚନ ବେହେରା ଓରଫ ଟିନା ଓରଫ ଟୁଲୁ (୩୬)କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୩ଟି ହାତ ତିଆରି ଦେଶୀ କାଟା (ବନ୍ଧୁକ), ୧୨ଏମ୍ଏମ୍ର ୬ଟି ଅଫୁଟା ଗୁଳି, ୨୦୦ ଗ୍ରାମ ଗନ୍ ପାଉଡର ଓ ବନ୍ଧୁକ ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡ଼ିକୁ ଜବତ କରାଯାଇଥିଲା ।

ଗିରଫ ତ୍ରିଲୋଚନ ବେହେରା ନାମରେ ୨୦୦୬ ମସିହାରୁ ବାଲୁଗାଁ, ଖଲିକୋଟ, ବାଣପୁର, ଛତ୍ରପୁର, ରମ୍ଭା, ଜଙ୍କିଆ ଥାନାରେ ୨୬ଟି ବିଭିନ୍ନ ଅପରାଧିକ ମାମଲା ରହିଥିବା ବେଳେ ଦିଲିପ କୁମାର ଦାସ ନାମରେ ୨୦୧୮ ମସିହାରୁ ବାଙ୍କୀ, ରେଳବାଇ ଥାନା, ବାଘମାରୀ, ବାଣପୁର, ବୈଦ୍ୟେଶ୍ୱର, ଜଙ୍କିଆ ଥାନାରେ ୧୩ଟି ଅପରାଧିକ ମାମଲା ରହିଛି । ଏନେଇ ଆଇପିସି ଦଫା ୨୯୪, ୫୦୬, ୩୫୩, ୩୪, ୨୭ ବେଆଇନ ଅସ୍ତ୍ରଶସ୍ତ୍ର ନିରୋଧ ଆଇନର ବିଭିନ୍ନ ଧାରାରେ ୧୫୩/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍ପି ଶ୍ରୀ ପହି ସୂଚନା ଦେଇଛନ୍ତି ।

 

ସମ୍ବନ୍ଧିତ ଖବର