ୟୁକ୍ରେନ୍‌ରେ ଫସିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ: ମେଟ୍ରୋ ଷ୍ଟେସନ, ବଙ୍କର୍‌ରେ କଟିବ କାଳ ରାତି

ରାଉରକେଲାର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସୂଚନା

ରାଉରକେଲା: ୟୁକ୍ରେନ୍‌ରେ ଫସିରହିଥିବା ରାଉରକେଲା ଛାତ୍ରଛାତ୍ରୀଙ୍କ କାଳ ରାତି ଆଜି ସେଠାକାର ମେଟ୍ରୋ ଷ୍ଟେସନ୍‌, ବଙ୍କର୍‌ରେ କଟିବ। କାରଣ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ସେମାନଙ୍କୁ ସେଠାକୁ ନିଆଯାଇଛି। ଏଣୁ ସମସ୍ତ ଛାତ୍ରଛାତ୍ରୀ ଆଜି ଖାର୍‌କିଭ୍‌ ମେଟ୍ରୋ ଷ୍ଟେସନ୍‌ ଓ ବଙ୍କର୍‌ରେ ଆଶ୍ରୟ ନେଇଛନ୍ତି। ଗୁରୁବାର ରାତିସାରା ଛାତ୍ରଛାତ୍ରୀ ସେଠାରେ ରହିବାପରେ ଆସନ୍ତାକାଲି ସ୍ଥିତିରେ ସୁଧାର ଆସିଲେ ହଷ୍ଟେଲକୁ ବାହୁଡ଼ିବେବୋଲି ସୂଚନା ଦେଇଛନ୍ତି।

ଏହି ଛାତ୍ରଛାତ୍ରୀ ୟୁକ୍ରେନ୍‌ର ବିଭିନ୍ନ ମେଡିକାଲ କଲେଜ, ବିଶେଷକରି ଖାର୍‌କିଭ୍‌ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟି, ଭି.ଏନ. କାରାଜିନ ମେଡିକାଲ ୟୁନିଭର୍ସିଟି, କିଭ୍‌ ମେଡିକାଲ ୟୁନିଭର୍ସିଟି ଆଦି ବିଭିନ୍ନ ବିଶ୍ବବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଫସିରହିଥିବା ଛାତ୍ରଛାତ୍ରୀ ହେଉଛନ୍ତି ବାସନ୍ତୀ କଲୋନି, ଛେଣ୍ଡ୍‌, ଜଗଦା, ଫର୍ଟିଲାଇଜର, କୋଏଲନଗର, ସେକ୍ଟର-୪, ସେକ୍ଟର-୧୮, ସେକ୍ଟର-୧୪, ସେକ୍ଟର-୨, ସେକ୍ଟର-୧, ସେକ୍ଟର-୧୯, ସେକ୍ଟର-୨୦ ଆଦି ଅଞ୍ଚଳର।

‘ସମ୍ବାଦ’କୁ ସ୍ବତନ୍ତ୍ର ସାକ୍ଷାତକାରରେ ଛାତ୍ରଛାତ୍ରୀମାନେ କହିଛନ୍ତି, ଡାକ୍ତର ହେବା ପାଇଁ ଉଚ୍ଚଶିକ୍ଷା ନେବାକୁ ସୁଦୂର ୟୁକ୍ରେନ ଆସିଥିଲୁ। ରୁଷର ଘନଘନ ଆକ୍ରମଣ ପରେ ଏଠାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଜୀବନ ପ୍ରତି ବିପଦ ରହିଛି। ଯେ କୌଣସି ମୂହୁର୍ତ୍ତରେ ସ୍ଥିତି ଆହୁରି ସଙ୍ଗୀନ ହେବାର  ଆଶଙ୍କା ରହିଛି। ଏଣୁ ଯଥାଶୀଘ୍ର ଆମକୁ ଏଠାରୁ ସୁରକ୍ଷିତଭାବେ ସ୍ବଦେଶକୁ ଫେରାଇ ନେବାକୁ କୋହଭରା କଣ୍ଠରେ ଏଭଳି ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର