ଆଇପିଏଲ୍‌ ବେଟିଂ ଘଟଣା: ଅଭିଯୁକ୍ତଙ୍କୁ ପୁଲିସର ନିସ୍ତୁକ ମାଡ଼ !

ସମ୍ବଲପୁର: ଆଇପିଏଲ୍‌ ବେଟିଂ ଘଟଣାରେ ମଙ୍ଗଳବାର ଟାଉନ୍‌ ପୁଲିସ ଆଉ ୪ ଜଣଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। କୋର୍ଟ ଚାଲାଣ ବେଳେ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଥିବା ମାନସ ମୁନ୍ଦ୍ରାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ତାଙ୍କ ବାପା ଗୋପାଳ ମୁନ୍ଦ୍ରା ଅଭିଯୋଗ ଆଣିଛନ୍ତି। ମାନସଙ୍କ ଦେହସାରା ମାଡ଼ ପଡ଼ିଛି। ଗୋଡ଼ କଥା ନକହିବା ଭଲ। ଅତ୍ୟନ୍ତ ନିର୍ଦୟ ଭାବେ ମାଡ଼ପିଟ୍‌ କରାଯାଇଛି।

ଗୋପାଳ ମୁନ୍ଦ୍ରାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ମାନସର ଜଣେ ସାଙ୍ଗ ଆଇପିଏଲ୍‌ ଘଟଣାରେ ସମ୍ପୃକ୍ତ ଥିଲା। ମାନସ କେବଳ ତା’ ସହିତ ମିଶାମିଶି କରେ। ମାନସର ଆଇପିଏଲ୍‌ ବେଟିଂରେ କୌଣସି ସମ୍ପୃକ୍ତି ନାହିଁ ବୋଲି ଗୋପାଳ ମୁନ୍ଦ୍ରା କହିଛନ୍ତି। ପୁଲିସ ପ୍ରଥମେ ଥରେ ମାନସକୁ ଥାନାକୁ ଆଣି ପଚରାଉଚରା କରିଥିଲା। ସମ୍ପୃକ୍ତି ନ ମିଳିବାରୁ ତାକୁ ଛାଡ଼ିଦିଆଯାଇଥିଲା। ତେବେ ଯେତେବେଳେ ଦରକାର ପୁଅକୁ ଆଣି ଥାନାରେ ହାଜର କରିବି ବୋଲି ଗୋପାଳ ଲିଖିତ ଭାବେ ଦସ୍ତଖତ କରିଥିଲେ। ତାପରେ ମଧ୍ୟ ତାଙ୍କୁ ଗତକାଲି ଅଚାନକ ପୁଲିସ ଉଠାଇ ଆଣି ଥାନାରେ ଅକଥନୀୟ ଅତ୍ୟାଚର କରିଥିଲା ବୋଲି କାନ୍ଦି କାନ୍ଦି ଗୋପାଳ ଗଣମାଧ୍ୟମକୁ କହିଛନ୍ତି।

ପୁଅର ଦେହରେ ପୁଲିସର ଲାଠିମାଡ଼ର ଚିହ୍ନ ଦେଖି ନିଜର କୋହ ସମ୍ଭାଳି ପାରିନଥିଲେ ଗୋପାଳ। ସେ ସିଧାସଳଖ ଥାନା ଅଧିକାରୀଙ୍କ ସହିତ ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ମିଶି ତାଙ୍କୁ ପିଟିଥିବା ଗୋପାଳ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଟାଉନ୍‌ ଥାନାଧିକାରୀ ରମେଶ ଦୋରାଙ୍କୁ ପଚାରିବାରୁ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଥାନାରେ କୌଣସି ଅଭିଯୁକ୍ତକୁ ମାଡ଼ପିଟ କରାଯାଇନାହିଁ ବୋଲି କହିଛନ୍ତି। ମାନସଙ୍କୁ ଅକଥନୀୟ ମାଡ଼ ମରାଯିବା ପରେ ମଧ୍ୟ ତାଙ୍କର ଚିକିତ୍ସା କରାଯାଉନଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏହା ସହିତ କେଉଁମାନେ ଓ କେଉଁଠାରେ ମାନସଙ୍କୁ ମାଡ଼ ମରାଗଲା, ତାର ଉପଯୁକ୍ତ ତଦନ୍ତ କରାଯିବା ସହ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର