ଜଗତସିଂହପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ଜଗତସିଂହପୁର ଟାଉନ୍‌ : ଜଗତ୍‌ସିଂହପୁରରେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଜଗତସିଂହପୁର ଜିଲ୍ଳାପାଳ କାର୍ଯ୍ୟାଳୟ ନିକଟ ପଡ଼ିଆଠାରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ଜିଲ୍ଳା କଂଗ୍ରେସ କମିଟି ସଭାପତି ରବୀନ୍ଦ୍ର ନାଥ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି ଓଡ଼ିଶାର ସ୍ୱାଭିମାନକୁ ବଳି ପକାଇ ଦେଇଛନ୍ତି। ଦୀର୍ଘ ୧୮ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଏବଂ ଗଲା ୪ ବର୍ଷ ହେଲା କେନ୍ଦ୍ରରେ ବିଜେପି ସରକାର ଓଡ଼ିଶାର ଦେଢ଼ କୋଟି ଲୋକଙ୍କ ଠାରୁ ସେମାନଙ୍କ ଅମୂଲ୍ୟ ଧନ ‘ସ୍ୱାଭିମାନ’କୁ ଛଡ଼ାଇ ନେଇଛନ୍ତି। ଜାତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ସିଂ ଉଦ୍‌ବୋଧନ ଦେଇ ରାଜ୍ୟରେ ନବୀନ ସରକାର ଏବଂ କେନ୍ଦ୍ରରେ ମୋଦି ସରକାର ଏକାଭଳି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ଅନ୍ୟତମ କାର୍ଯ୍ୟକାରୀ ସଭାପତି ପ୍ରଦାପ ମାଝୀ, ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳ, ଜାତୀୟ କଂଗ୍ରେସ କମିଟିର ସମ୍ପାଦକ ରୁଦ୍ର ରାଜୁ, କଂଗ୍ରେସ ନେତା ଅରବିନ୍ଦ ସର୍ଖେଲ, ଲାଲାଟେନ୍ଦ୍‌ ମହାପାତ୍ର, ବିଭୁ ପ୍ରସାଦ ତରାଇ, ପ୍ରମୋଦ ଜେନା, ରାଜ କିଶୋର ବିହେରା, ସାରଦା ଜେନା, ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଓବିସି ସେଲ୍‌ର ବିଷ୍ଣୁ ଚରଣ ବାରିକ ପ୍ରମୁଖ ମଞ୍ଚ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଟବର ବାରିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର