ଫେରୋକ୍ରୋମ୍‌ ବନ୍ଦ: ବଢ଼ୁଛି ଶ୍ରମିକ ଅଶାନ୍ତି

ବ୍ୟାସନଗର: ଜୁନ୍‌ ପହିଲା ଠାରୁ ଯାଜପୁରରୋଡ ଇଡକଲ ଫେରୋକ୍ରୋମ ଆଣ୍ଡ ଆଲୟେଜ୍ ଲିମିଟେଡ, ଇଫ୍‌କାଲ କାରଖାନାର ଫର୍ଣ୍ଣେସ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଗତ ଶୁକ୍ରବାର ୩୧ ତାରିଖ ମଧ୍ୟାହ୍ନରୁ କାରଖାନାର ୨ଟି ଯାକ ଫର୍ଣ୍ଣେସ ବନ୍ଦ କରି ଦିଆଯାଇଛି। ଫଳରେ କାରଖାନାର ବ୍ରିକେଟ୍‌, ବେଲ୍ଟ ଲୋଡିଂ, ହାଇ କାର୍ବନ, ଷ୍ଟୋର ଲୋଡିଂ, ମେକାନିକାଲ, ମେଣ୍ଟେନାନ୍ସ ଆଦି ସାଇଟ୍‌ର ପ୍ରାୟ ୩ ଶହ ଶ୍ରମିକ କାମ ହରାଇଛନ୍ତି। ଗତକାଲି ସକାଳୁ ଗେଟ୍‌ ପାସ୍‌ ଦିଆନଯାଇ ଶ୍ରମିକମାନଙ୍କୁ କାରଖାନା ଭିତରକୁ କାମ କରିବାକୁ ଛଡ଼ାଯାଇନାହିଁ। ଫଳରେ କେତେକ ଶ୍ରମିକ ଘରକୁ ଫେରିଥିବା ବେଳେ ବହୁ ଶ୍ରମିକ ଦୀର୍ଘ ସମୟ ଧରି କାରଖାନା ବାହାରେ ଅପେକ୍ଷା କରି ରହିଥିଲେ। ଏହାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। କ୍ଷତିର ଆଳ ଦେଖାଇ ଏସିଆ ମହାଦେଶର ସର୍ବ ପୁରାତନ ଫେରୋକ୍ରୋମ କାରଖାନାକୁ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ ୭୦ ଜଣ କର୍ମଚାରୀ କାମ କରୁଥିବା ବ‌େଳେ ଅନାବଶ୍ୟକ ଭାବେ ଶତାଧିକ ଅଧିକାରୀଙ୍କ ନିଯୁକ୍ତି କାରଖାନାର ଅର୍ଥନୀତିକୁ ଦୁର୍ବଳ କରୁଛି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି, ଗତକାଲି କାରଖାନାର ଦୁଇଟି ଫର୍ଣ୍ଣେସ୍‌କୁ ବନ୍ଦ କରିଦିଆଯାଇଥିଲା। ଏହାକୁ ନେଇ କେତେକ ଶ୍ରମିକ ଗତକାଲି କାରଖାନା ଫାଟକ ସମ୍ମୁଖରେ ରୁଣ୍ଡ ହୋଇଥିଲେ। ବିଜୁ ପଟ୍ଟନାୟକ ଠିକା ଶ୍ରମିକ ସଂଘର ସଭାପତି ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଭେଟି ଶ୍ରମିକମାନେ କାରଖାନା ବନ୍ଦ ସମ୍ପର୍କରେ ଆଲୋଚନା କରିଥିଲେ। କାରଖାନା କିଭଳି ଚାଲିବ ଓ ସମସ୍ତ ଶ୍ରମିକ କାମ ପାଇବେ ସେ ସମ୍ପର୍କରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ଘଡ଼ାଇ ପ୍ରତିଶ୍ରୁତି ଦେଇଥିଲେ। କାରଖାନାର ଗୋଟିଏ ସାଇଟ୍‌ରେ ସପ୍ଲାଇ ଶ୍ରମିକ ଓ ଅଧିକାରୀମାନେ କାମ କରୁଥିବା ବେ‌ଳେ ଠିକାଦାର ଅଧୀନରେ ଥିବା ପ୍ରାୟ ୬ ଶହ ଶ୍ରମିକଙ୍କୁ କାମ ମିଳିନାହିଁ। କାରଖାନାର ସ୍ୱତନ୍ତ୍ର ଖଣି ଥିବା ବେଳେ କାମ କାହିଁକି ବନ୍ଦ ହେବ ବୋଲି ଶ୍ରମିକମାନେ ପ୍ରଶ୍ନ କରିଛନ୍ତି। ପ୍ରକାଶ ଥାଉକି, ଗତ ଦୁଇବର୍ଷ ତଳେ ଅଧିକ କ୍ଷତି ଦର୍ଶାଇ କାରଖାନାକୁ ଅନ୍ୟ ଏକ କମ୍ପାନିକୁ ବିକ୍ରି କରିବାକୁ ମସୁଧା କରାଯାଇଥିଲା। ଏହାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଫଳରେ କାରଖାନାକୁ ବିକ୍ରି ନକରି କିଭଳି ଲାଭ ହୋଇପାରିବ ସେଦିଗରେ ଅଧିକାରୀ ଉଦ୍ୟମ କରିଥିଲେ। କିନ୍ତୁ କାରଖାନା କ୍ଷତିରେ ଚାଲି ଚାଲି ଏବେ ବନ୍ଦ ହୋଇଯାଇଛି। ହାଇକାର୍ବନ ଥିବା ପର୍ଯ୍ୟନ୍ତ ସପ୍ଲାଇ ଶ୍ରମିକଙ୍କୁ କାମ ଦିଆଯାଇ ଠିକାଦାର ଅଧୀନରେ କାମ କରୁଥିବା ଶ୍ରମିକଙ୍କୁ ବଞ୍ଚିତ କରାଯାଇଛି। ଦୀର୍ଘ ବର୍ଷ ଧରି କାମ କରୁଥିବା ଶ୍ରମିକମାନେ କେମିତି ପରିବାର ପ୍ରତିପୋଷଣ କରିବେ, ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର