ଝିଅ ବାହାଘର ପୂର୍ବରୁ ଅଘଟଣ:ବିଷାକ୍ତ ଖାଦ୍ୟ ନେଲା ଜଣକ ଜୀବନ, ୯ ଗୁରୁତର

ପାଟଣା,: ଦିନକ ପରେ ହୋଇଥାନ୍ତା ବାହାଘର। ଏଥିପାଇଁ ଚାଲିଥିଲା ପ୍ରସ୍ତୁତି। ଟେଣ୍ଟ ବନ୍ଧାଠାରୁ ଆରମ୍ଭ କରି ଅନ୍ୟ କାର୍ଯ୍ୟରେ ଲାଗିଥିଲେ ସାହିଭାଇ। ଘରେ ରନ୍ଧା ହୋଇଥିବା ଖାଦ୍ୟକୁ ଖାଇ ସାହିର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସାହିର ମାନସ ନାୟକ (୨୨)। କନ୍ୟାର ଝିଅର ମା’ ହେମଲତା ନାୟକ ଓ ଭାଉଜ ଲୁସି ନାୟକଙ୍କ ସମେତ ୯ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚୟତ ନୂଆଗାଁରେ ଏଭଳି ଅଘଟଣ ଘଟିଛି।
ଖବର ଅନୁସାରେ ଗ୍ରାମର ସ୍ବର୍ଗତ ପୁରନ୍ଦର ନାୟକଙ୍କ ଝିଅ ଗୋଲାପ ନାୟକଙ୍କର ଆସନ୍ତାକାଲି ବିବାହ ହେବାର ଥିଲା। ଗତକାଲି ଏଥିପାଇଁ ଟେଣ୍ଟ କାମ ଚାଲିଥିଲା। ଟେଣ୍ଟ ବନ୍ଧା କାର୍ଯ୍ୟରେ ନିୟୋଜିତ ଯୁବକଙ୍କୁଖାଇବାକୁ ଦିଆଯାଇଥିଲା। ଏହାକୁ ଘର ଲୋକେ ଓ ସାହିର କେତେଜଣ ବି ଖାଇଥିଲେ। ତେବେ ଖାଦ୍ୟ ଖାଇବାର କିଛି ସମୟ ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସଙ୍ଗେସଙ୍ଗେ ସେମାନଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସଂକଟାପନ୍ନ ହେବାରୁ କଟକ ନିଆଯିବା ବାଟରେ ଜଣଙ୍କର ମୃତ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର