ବ୍ରଜରାଜନଗର: ଟ୍ରେନ୍‌ରେ କଟି ବୃଦ୍ଧ ମୃତ, ଆତ୍ମହତ୍ୟା ସନ୍ଦେହ

ବ୍ରଜରାଜନଗର: ଓରିଏଣ୍ଟ କାଗଜକଳ ପଛପଟ ମୁମ୍ବାଇ କୋଲକତା ରେଳ ଲାଇନରେ ଜଣେ ବୃଦ୍ଧ ଟ୍ରେନ ସାମ୍ନାକୁ ଆସି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧାଙ୍କ ନାମ ଶ୍ରୀରାମ ମେହେର। ସେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭାଟା ଗ୍ରାମର ବାସିନ୍ଦା। ଖବର ପାଇ ସମାଜସେବୀ ସୁଶାନ୍ତ ମେହେର ଘଟଣାସ୍ଥଳରେ ପହଞ୍ଚି ଶ୍ରୀରାମକୁ ଚିହ୍ନି ତାଙ୍କ ଘରକୁ ଖବର ଦେଇଥିଲେ।

ଘଟଣାଟି ସକାଳ ୮ଟାରେ ଅହମ୍ମଦାବାଦ୍‌ ଏକ୍ସପ୍ରେସ ଟ୍ରେନର ଅପଲାଇନରେ ଘଟିଛି। ଟ୍ରେନରେ କାଟିବା ପରେ ଅହମ୍ମଦାବାଦ୍ ଏକ୍ସପ୍ରେସ ଟ୍ରେନର ଲୋକୋ ପାଇଲଟ ବ୍ରଜରାଜନଗର ଷ୍ଟେସନରେ ଏ ସମ୍ପର୍କରେ ଖବର ଦେଇଥିଲେ। ଖବଟପାଇ ଆରପିଏଫଏସ୍ଆଇ ରତିକାନ୍ତ ସିଂ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ମୃତ ଶ୍ରୀରାମଙ୍କ ବଡ଼ପୁଅଙ୍କ କହିବା ଅନୁସାରେ ଗତକାଲି ଘରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ସବୁ ଠିକ ଥିଲା। ସକାଳୁ ସେ ବାହାରକୁ ଯାଇଥିଲେ।

ଲୋକ ପାଇଲଟଙ୍କ କହିବା ଅନୁସାରେ ଶ୍ରୀରାମ ଅପଲାଇନକୁ ଆସୁଥିବା ଦେଖି ସେ ଟ୍ରେନର ହର୍ଣ୍ଣ ଦେଇଥିଲେ ମଧ୍ୟ ସେଠାରୁ ସେ ହଟିନଥିଲେ। ଟ୍ରେନର ଗତି ଯଦିଓ କମ ଥିଲା କିନ୍ତୁ ଟ୍ରେନ ନିୟନ୍ତ୍ରଣ ହେବା ବେଳକୁ ସେ କାଟି ସାରିଥିଲେ। ଜିଆରପି ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅନୁସନ୍ଧାନ କରୁଛି।

ସମ୍ବନ୍ଧିତ ଖବର