କରୋନାରେ ଯୁବ ସାମ୍ବାଦିକ ଅମଜାଦ୍‌ ବାଦଶାହାଙ୍କ ବିୟୋଗ 

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଜଣେ ଉଦୀୟମାନ ଯୁବ ସାମ୍ବାଦିକ ଅମଜାଦ୍‌ ବାଦଶାହଙ୍କ ରବିବାର ଅପରାହ୍ନ ସାଢ଼େ ୪ଟାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା। ସେ ଗତ ଏପ୍ରିଲ ୭ ତାରିଖରୁ କୋଭିଡ୍‌ରେ ଆକ୍ରାନ୍ତ ହୋଇ ପ୍ରଥମେ ଝାରସୁଗୁଡ଼ା କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ଅବସ୍ଥା ଜଟିଳ ହେବାରୁ ରାଉରକେଲା କୋଭିଡ୍‌ ହସ୍‌ପିଟାଲ୍‌କୁ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ତାଙ୍କ ପରିବାରର ତିନିଜଣ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମା’ ମଧ୍ୟ ରାଉ‌ରକେଲା କୋଭିଡ୍‌ ହସପିଟାଲ‌ରୁ ସୁସ୍ଥ ହୋଇ ଦୁଇ ଦିନ ତଳେ ଫେରିଥିଲେ। ଶୁକ୍ରବାର ତାଙ୍କ ଖୁଡ଼ୀଙ୍କ ଝାରସୁଗୁଡ଼ା କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଅମଜାଦଙ୍କୁ ଆଇସିୟୁରେ ରଖାଯାଇଥିଲା।

ପଶ୍ଚିମ ଓଡ଼ିଶାର ଜଣେ ସୁପରିଚିତ କବି ଗୌନ୍ତିଆ ଜମିଉ୍‌ଲ୍ଲାଙ୍କ ସେ ଏକମାତ୍ର ପୁତ୍ର। ଜଣେ ପ୍ରଗତିଶୀଳ ସାମ୍ବାଦିକ ଭାବରେ ଅମଜାଦଙ୍କ ଝାରସୁଗୁଡ଼ା ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାରେ ପରିଚୟ ରହିଥିଲା। ଢେଙ୍କାନାଳରେ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ ସେ ବିଭିନ୍ନ ଟିଭି ଚ୍ୟାନେଲ୍‌ରେ କାମ କରିଥିଲେ। ଗତ ୬ ବର୍ଷ ହେବ ସେ ନିଜର ଏକ ଡିଜିଟାଲ ଚ୍ୟାନେଲ୍‌ ଚଳାଉଥିଲେ। ତାଙ୍କ ବିୟୋଗରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ସମତେ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର