ଭାପୁର ପଞ୍ଚାୟତ ନିର୍ବାଚନରେ ବିଜୟିନୀ ହେଲେ ଲିଲି ପ୍ରିୟା ସାହୁ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକ ଭାପୁର ପଞ୍ଚାୟତ ଉପ ନିର୍ଵାଚନରେ ସରପଞ୍ଚ ପଦରେ ଲିଲି ପ୍ରିୟା ସାହୁ ବିଜୟ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅହଲ୍ୟା ବେହେରାଙ୍କ ଠାରୁ ୪୫୧ ଭୋଟରେ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।
ସୂଚନା ଅନୁସାରେ, ଭାପୁର ପଞ୍ଚାୟତ ସରପଞ୍ଚ କମଳା ସାହୁ ଗତ ବର୍ଷ ଜାନୁଆରିରେ ଅନସ୍ଥା ଭୋଟରେ ହାରି ପଦବୀ ହରାଇଥିଲେ। ସେହି ଦିନଠାରୁ ଦାୟିତ୍ୱରେ ଥିଲେ ହେମନ୍ତ ସାହୁ। ପ୍ରଶାସନର ନି‌ର୍ଦ୍ଦେଶ ପରେ ଗତ ୧ ତାରିଖରେ ନାମାଙ୍କନ ଦାଖଲ ହୋଇଥିଲା। ଉକ୍ତ ପଦବୀ ଲାଗି ଅହଲ୍ୟା ବେହେରା ଏବଂ ଲିଲି ପ୍ରିୟା ସାହୁ ନାମାଙ୍କନ ଭରିଥିଲେ। ଅହଲ୍ୟା ଖୋଲା ବହି ଚିହ୍ନ ଏବଂ ଲିଲି ପ୍ରିୟା ମାଛ ଚିହ୍ନରେ ନିର୍ବାଚନ ଲଢୁଥିଲେ। ଗତକାଲି ୧୫ ବୁଥରେ ମୋଟ ୬୨୧୧ ରୁ ୨୯୫୬ ଜଣ ଭୋଟ ଦେଇଥିଲେ। ଆଜି ସକାଳ ୯ ଟାରେ ବ୍ଲକ ପରିସରରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ୫ ରାଉଣ୍ଡ ଗଣତିରେ ଅହଲ୍ୟାଙ୍କୁ ୧୨୨୧ ଖଣ୍ଡ ଏବଂ ଲିଲି ପ୍ରିୟାଙ୍କୁ ୧୬୭୨ ଭୋଟ ମିଳିଥିଲା। ଲିଲିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା ହୋଇଥିଲା। ୬୩ ଭୋଟ ନାକଚ ହୋଇଥିଲା। ନିର୍ଵାଚନରେ ୨ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକର ହୋଇଥିଲା। ଭୋଟ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ବିଡିଓ ମିତାଞ୍ଜଳୀ ଦାଶ ନିର୍ଵାଚନ ପରିଚାଳନା କରିଥିଲେ। ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସୁରକ୍ଷା ଦାୟିତ୍ୱରେ ଥିଲେ। କୋଭିଡ କଟକଣା ଏବଂ କଡ଼ା ସୁରକ୍ଷା ଭିତରେ ନିର୍ବାଚନ ସରିଛି।

ସମ୍ବନ୍ଧିତ ଖବର