ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ବାଣପୁର ହସ୍ପିଟାଲରେ ତୀବ୍ର ଉତ୍ତେଜନା

ବାଣପୁର/ବାଲୁଗାଁ: ଚିକିତ୍ସା ଅବହେଳାରୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି (ମଙ୍ଗଳବାର) ଜଣେ ୫ ବର୍ଷର ଶିଶୁର ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶିଶୁର ନାମ ଶିବୁ ମାଳି (୫)। ସେ ବାଣପୁର ଥାନା ସାନସିରେଇପୁର ଗ୍ରାମର ଅରୁଣ ଓ ନର୍ମଦା ମାଳିଙ୍କ ଏକମାତ୍ର ପୁଅ। ଏନେଇ ନର୍ମଦା ବାଣପୁର ଥାନାରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରିବା ସହ ଶବକୁ ଜବତ କରିଛି। ଆସନ୍ତାକାଲି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ମିଳିଥିବା ସୂଚନାରୁ ପ୍ରକାଶ, ସୋମବାର ରାତିରେ ଶିବୁର ଝାଡ଼ାବାନ୍ତି ହେବା ସହ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ପରିବାରଲୋକେ ଆଜି ସକାଳେ ତାକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ସେଠାରେ ଡାକ୍ତର ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରି ସାଲାଇନ୍‌ ଓ ଇଞ୍ଜେକସନ୍‌ ଦେଇଥିଲେ। ଏହାର ୨୦ ମିନିଟ୍‌ ପରେ ଶିବୁର ଯନ୍ତ୍ରଣା ବଢ଼ିବା ସହ ପେଟ ଫୁଲିଯାଇ ପାଟିରୁ ଫେଣ ବାହାରିଥିଲା। ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ଡାକ୍ତରଙ୍କୁ ଡାକିଥିଲେ ହେଁ ସେତେବେଳକୁ ଶିବୁର ପ୍ରାଣବାୟୁ ଉଡ଼ି ଯାଇଥିଲା। ତେବେ ଭୁଲ୍‌ ଇଞ୍ଜେକସନ୍‌ ଓ ଚିକିତ୍ସା ଅବହେଳାରୁ ଶିବୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଓ ଆତ୍ମୀୟସ୍ୱଜନ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବାଣପୁର ଥାନା ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଆସନ୍ତାକାଲି ଶିବୁର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି।

ଖାଦ୍ୟ ବିଷାକ୍ତକରଣ ଯୋଗୁଁ ଶିବ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ବେଳେ ଏଠାରେ ତାକୁ ଆବଶ୍ୟକ ଚିକିତ୍ସା କରାଯାଇଥିଲା। ମାତ୍ର ସମସ୍ତ ପ୍ରକାର ଚିକିତ୍ସା ଓ ଉଦ୍ୟମ ସତ୍ତ୍ୱେ ଦୁର୍ଭାଗ୍ୟବଶତଃ ତାର ମୃତ୍ୟୁ ହୋଇଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ, ବାଣପୁର ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି ନଜର ନ ଦେବା କ୍ଷୋଭର ବିଷୟ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ସମ୍ବନ୍ଧିତ ଖବର