ବେକରେ ପଘା ଲାଗି ନାବାଳିକାର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ସିନ୍ଧ୍ରିମାଳ ପଂଚାୟତର କିରପାଳିଗୁଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ବେକରେ ପଘା ଲାଗିବା ଫଳରେ ପାଞ୍ଚ ବର୍ଷର ନାବାଳିକାର ମୃତ୍ୟୁ ଘଟିଛି।

ଘଟଣା ଅନୁଯାୟୀ ଗତକାଲି ସନ୍ଧ୍ୟା ୫ଟା ସମୟରେ ସହଦେଵ ଗୌଡ଼ଙ୍କ ପତ୍ନୀ ଗାଈର କ୍ଷୀର କାଢୁଥିଲେ। ତେବେ ପାଖରେ ଝିଅ କାଂଚରା ଗୌଡ଼ ଗାଈର ପଘା ଧରିଥିଲେ। ତେବେ ସେ ପଘାକୁ ହୁଏତ ବେକରେ ଲଗାଇ ଛିଡ଼ା ହୋଇଥିଲେ। ଏହି ସମୟରେ କୁକୁର ଭୁକିବାରୁ ଗାଇଟି ଜୋରରେ ଦୌଡ଼ିବାକୁ ଲାଗିଲା। ଝିଅର ବେକରେ ପଘା ଲାଗିଥିବାରୁ ପଘା ସହ ଘୋଷଡ଼ି ହୋଇ ଗାଈ ପଛରେ ଝିଅଟି ପ୍ରାୟ ଅଧ କିଲୋମିଟର ଯାଇଥିଲା।ଲୋକେ ଗାଈକୁ କାବୁ କରି ଝିଅକୁ ଉଦ୍ଧାର କରିଥିଲେ, କିନ୍ତୁ ସେତେବେଳକୁ ଝିଅଟିର ମୃତ୍ୟୁ ହୋଇସାରିଥିଲା।

ତୁରନ୍ତ ମାଲକାନଗିରି ମେଡିକାଲକୁ ଆଣି ଚିକିତ୍ସା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଡାକ୍ତର ଝିଅର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ। ପୁଲିସ ଖବର ପାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲେ। ଝିଅର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିଲା।ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି।

ସମ୍ବନ୍ଧିତ ଖବର