ମାଲକାନଗିରି: ଯୁଗ ବଦଳିବା ସହ ଲୋକେ ଆଧୁନିକତାକୁ ଆପଣେଇଲେଣି। ଦିନ ଥିଲା ଫୋନରେ କଥା ହେବା ମୁସକିଲ ହୋଇପଡୁଥିଲା। ଏବେ କିନ୍ତୁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ ଫୋନ। ତେବେ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳର ଦୁର୍ଗମ ଗ୍ରାମବାସୀଙ୍କ ପାଇଁ ମୋବାଇଲ କାଳ ସାଜିଛି। ଏହି ଗ୍ରାମ ଗୁଡିକରେ ରାସ୍ତା ନଥିଲେ ମଧ୍ୟ ମୋବାଇଲ ସେବା ପହଞ୍ଚିପାରିଛି। କିନ୍ତୁ ଲୋକଙ୍କୁ ମୋବାଇଲ ବ୍ୟବହାର କରିବାକୁ ଏକ ପ୍ରକାର କଟକଣା ରହିଛି। କାହା ସହ କଥା ହେବା କିମ୍ବା ଗାଁରୁ ବାହାରକୁ ଯିବାକୁ ହେଲେ ମାଓ ସଂଗଠନର ପରାମର୍ଶ ନେବାକୁ ପଡିଥାଏ। ଏଭଳି ଦୁର୍ଦିନରେ ବାସ କରୁଛନ୍ତି ଦୁର୍ଗମ ଅଞ୍ଚଳବାସୀ।
ମାଲକାନଗିରି ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକରେ ଲୋକଙ୍କୁ ମୋବାଇଲ ଧରିବା ଏକ ପ୍ରକାର ବାରଣ ହୋଇଛି। ମୋବାଇଲ ଧରିବା ମାତ୍ରେ ଖବର ନକ୍ସଲଙ୍କ ନିକଟରେ ପହଞ୍ଚିଯାଉଛି। ନଚେତ ସୁରକ୍ଷାକର୍ମୀଙ୍କ ଟାର୍ଗେଟକୁ ଚାଲି ଆସୁଛନ୍ତି। ଯଦି କେହି ମୋବାଇଲରେ କଥା ହେବାକୁ ଚେଷ୍ଟା କରୁଛନ୍ତି ତେବେ ନକ୍ସଲ ପ୍ରଜାକୋର୍ଟରେ ପୁଲିସ ଇନଫର୍ମର ଦର୍ଶାଇ ହାତଗୋଡ ବାନ୍ଧି ନିସ୍ତୁକ ମାଡ ମାରୁଛନ୍ତି। ତେଣୁ ଲୋକେ ଏବେ ନକ୍ସଲ ଭୟରେ ମୋବାଇଲ ଧରିବା ଛାଡି ଦେଇଛନ୍ତି। ସେହିପରି ଯଦି କେହି ମୋବାଇଲ ଧରିଥିବା ସୁରକ୍ଷାକର୍ମୀ ଦେଖନ୍ତି ତେବେ ସେମାନଙ୍କୁ ପ୍ରଶ୍ନ ବାଣରେ ଘାଇଲା କରନ୍ତି। ମୋବାଇଲ କେଉଁଠୁ ଆଣିଲୁ, କାହା ସହ କଥାବାର୍ତ୍ତା ହେଉଛୁ, କେଉଁଠୁ କିଣିଲୁ, ନା ମୋବାଇଲ କେହି ଦେଇଛି ଏଭଳି ଅନେକ ପ୍ରଶ୍ନ କରିଥାନ୍ତି। ଦରକାର ପଡିଲେ ମୋବାଇଲ ଛଡାଇ ନେଇ ମାଡ ମଧ୍ୟ ମାରିଥାନ୍ତି। ନିଜ ନାମ ଗୋପନ ରଖି କିଛି ଗ୍ରାମବାସୀ କହିଥିଲେ ଯେ ସିନେମା ଦେଖିବା ପାଇଁ ଦାମିକିଆ ମୋବାଇଲ କିଣିଥିଲେ। କିନ୍ତୁ ନକ୍ସଲ ଏହା ଜାଣିବା ପରେ ସେମାନଙ୍କୁ ଟାର୍ଗେଟକରି ମାଡ ମାରିଥିଲେ ଏବଂ ମୋବାଇଲ ଛଡାଇ ନେଇଯାଇଥିଲା। ତେବେ ଏହା କି ପ୍ରକାର ସ୍ୱାଧୀନତା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସହର ଲୋକେ ଆଧୁନିକତାର ସହ ତାଳ ମିଳାଇ ଚାଲୁଥିବା ବେଳେ ଦୁର୍ଗମ ଅଞ୍ଚଳରେ ଘର କରିବା, କିମ୍ବା ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କୁ ସହଯୋଗ କରିବା ଭୁଲ କି ବୋଲି ଗଣମାଧ୍ୟମ ନିକଟରେ କହିଥିଲେ। ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ମୋବାଇଲ ଟାୱାର ନଥିବା ବେଳେ ଗ୍ରାମବାସୀ କିନ୍ତୁ ସଉକ ପାଇଁ ମୋବାଇଲ ନେଇ ଗ୍ରାମରେ ପହଞ୍ଚିଥିଲେ। ତେବେ ସେମାନେ ଜାଣିନଥିଲେ ଯେ ସେମାନଙ୍କୁ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ଟାର୍ଗେଟ ହେବାକୁ ପଡିବ। ନକ୍ସଲଙ୍କୁ ଏଠାରେ ମୋବାଇଲ ନେଟଓ୍ଵର୍କ ନଥିବା ନେଇ ଯେତେ ବୁଝାଇଲେ ମଧ୍ୟ ସେମାନେ ବୁଝୁନଥିବା ଗ୍ରାମବାସୀ କହିଥିଲେ। ପ୍ରଜାକୋର୍ଟରେ ହାଜର କରି ଏଥିରୁ ନିବୃତ ନରହିଲେ ଗ୍ରାମ ଛାଡି ଚାଲିଯିବାକୁ ଧମକ ଦେଲେ। ଗୋଟିଏପଟେ ନକ୍ସଲ ଏବଂ ଅନ୍ୟପଟେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିବା ଗ୍ରାମବାସୀ କେବେ ସ୍ୱାଧୀନ ହୋଇ ସହରବାସୀଙ୍କ ସମକକ୍ଷ ହେବେ ତାହା ଦେଖିବାକୁ ବାକି ରହିଲା।