ଆଇଟିଆଇ ଛାତ୍ରଙ୍କୁ ମାଡ଼ ଘଟଣା ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା: ମୟୁରଭଞ୍ଜ କୁଳିଅଣା ଥାନା ରୀତୟନି ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରକୁ ପ୍ରିନସିପାଲଙ୍କ ସାନ ଭାଇ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା | ଅଭିଯୋଗ ଅନୁସାରେ ଆଇଟିଆଇ ଛାତ୍ରମାନଙ୍କ ମଧ୍ୟରେ ଇଲେକ୍ଟିସିଆନ ଟ୍ରେଡ଼ ପିଲାଙ୍କ ଆଡିମିଟ କାର୍ଡ ଆସିବା ବଦଳରେ ଫିଟର ଟ୍ରେଡ଼ ଆଡମିଟ କାର୍ଡ ଆସିଥିବାବେଳେ ଫିଟର ଟ୍ରେଡ଼ ପିଲାଙ୍କ ପାଇଁ ଇଲେକ୍ଟିସିଆନର ଆଡମିଟ କାର୍ଡ ଆସିଥିଲା | ଏନେଇ ଛାତ୍ରମାନେ କଲେଜ ପ୍ରିନସିପାଲଙ୍କୁ ଅଭିଯୋଗ କରିଥିଲେ | ହେଲେ ଛାତ୍ରମାନଙ୍କ ସମସ୍ୟା ସମାଧାନ ବଦଳରେ ସେମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା | ତେବେ ଭୁଲ ଆଡମିଟ କାର୍ଡରେ ପରୀକ୍ଷା ଦେବାକୁ ଛାତ୍ରମାନେ ରାଜି ହୋଇନଥିଲେ | ସମସ୍ୟାକୁ ସମାଧାନ କରିବାକୁ ଯାଇ କଲେଜର ଗେଟ ବନ୍ଦ କରି ଆନ୍ଦୋଳନ କରିଥିଲେ | ତେବେ ଗେଟ ବନ୍ଦ କରିବାକୁ ନେଇ ପ୍ରିନସିପାଲଙ୍କ ସାନ ଭାଇ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ | ଯାହାଫଳରେ ନ୍ୟାୟ ଦାବି କରି ଛାତ୍ରମାନେ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ |

ଥାନାରେ ଅଭିଯୋଗ କରିବାପରେ ଛାତ୍ରମାନଙ୍କୁ ବିନା ଦୋଷରେ ବାଧ୍ୟତାମୂଳକ ଟିସି ଦେଇ ଗାଳି ଗୁଲଜ କରିବା ସହିତ ବଳପୂର୍ବକ ହଷ୍ଟେଲରୁ ଅଗଷ୍ଟ ୨ ତାରିଖ ରାତ୍ରିରେ ବିଦା କରିଦେଇଥିଲେ | ଫଳରେ ପରୀକ୍ଷା ଦେବାରୁ ବଞ୍ଚିତ ହେବା ସହିତ ଶାରୀରିକ ମାନସିକ ଭାବେ ଆଘାତ ପାଇବା ପରେ ୧୨ ଜଣ ଛାତ୍ର ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ | ତେବେ ୨୪ ଘଣ୍ଟା ଭିତରେ ମାଡ଼ ମାରିଥିବା ୨ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା |

ପୁଲିସ ପ୍ରିନସିପାଲ ତଥା ମାଲିକ ତ୍ରୀଲୋଚନ ବାରିକ ଓ ଅଧ୍ୟାପକ ସତ୍ୟଜିତ ଗିରିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା | ହେଲେ ଛାତ୍ରକୁ ଗୋଡେଇ ଗୋଡେଇ ମାରିଥିବା ପ୍ରିନସିପାଲଙ୍କ ସାନ ଭାଇ ତଥା ମୁଖ୍ୟ ଅଭିଯୁକ୍ତ ଦିବ୍ୟଲୋଚନ ବାରିକ ଫେରାର ହୋଇଯାଇଥିଲେ | ସେପଟେ ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ଜିଲ୍ଲାପାଳ, ପୁଲିସ ପ୍ରଶାସନ ପକ୍ଷରୁ ୩ ଦିନ ସମୟ ଦିଆଯାଇଥିଲା | ହେଲେ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ପ୍ରତିଶୃତିରେ ବିଫଳ ହେବାରୁ ଆଜି ଆଦିବାସୀ ସଂଗଠନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ପାଳନ କରିଛି | ଫଳରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଅଧିକାଂଶ ବନ୍ଦ ରହିଛି |

ସମ୍ବନ୍ଧିତ ଖବର