ବାରିପଦା ଜେଲ୍‌ରେ ୧୨ କଏଦୀ କରୋନା ସଂକ୍ରମିତ

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ କମୁଛି । ମାତ୍ର ଏପରି ପରିସ୍ଥିତିରେ ବାରିପଦା ଜେଲ୍‌ରୁ ପୁଣି ୧୨ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଜିଲ୍ଲାରେ ଚାଲିଥିବା କରୋନା ବିରୋଧୀ ଯୁଦ୍ଧରେ ଏକ ଝଟ୍‌କା କହିଲେ ଅତ୍ୟୁକ୍ତି ହେବ ନାହିଁ। ଜେଲ୍‌ରେ ଥିବା କିଛି କଏଦୀଙ୍କର ଲକ୍ଷଣ ପ୍ରକାଶ ପାଇବାରୁ କରୋନା ପରୀକ୍ଷା କରାଯାଇଥିଲା ।

ଏଥିରୁ ୧୨ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏମାନଙ୍କୁ ଗୋଟିଏ ସେଲ୍‌ରେ ଆଇସୋଲେଟେଡ୍‌ କରି ରଖାଯାଇଥିବା ଜଣାପଡ଼ିଛି। ଏନେଇ ଜେଲ୍‌ ଅଧୀକ୍ଷକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ପୂର୍ବରୁ ମଧ୍ୟ ଏଠାରୁ ୮୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କରୋନା ପ୍ରତିରୋଧ ନେଇ ବାରିପଦା ଜେଲ୍‌ରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉନଥିବା କିଛି କଏଦୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଜେଲ୍‌ ଭିତରେ ଥିବା ହସ୍‌ପିଟାଲରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ମଧ୍ୟ ସେପରି ଉଲ୍ଲେଖନୀୟ ହେଉନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର