ଦୁଷ୍କର୍ମ ଉଦ୍ୟମ କରି ହଟହଟା : ବାନ୍ଧି ଦେଇ ପିଟିଲେ ଲୋକେ
ଉଦଳା(୧) : ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦିବ୍ୟସିଂହପୁରରେ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣେ ଲୋକକୁ ଗାଁ ଲୋକେ ବାନ୍ଧି ମାଡ଼ ମାରିଛନ୍ତି। ଆଜି ସକାଳେ ପୁଲିସ ପହଞ୍ଚି ତାକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଦିବ୍ୟସିଂହପୁର ଗ୍ରାମର ସତିଆ ଓରଫ୍ ସତ୍ୟେନ୍ଦ୍ର ପଣ୍ଡା। ସେ ଗତ ରାତିରେ ଗ୍ରାମର ଜଣେ ବିବାହିତା ମହିଳାଙ୍କ ଘରେ ପଶିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳାଙ୍କ ସ୍ୱାମୀ ରାଜ୍ୟ ବାହାରେ ରହୁଥିବାରୁ ପିଲାମାନଙ୍କ ସହିତ ସେ ଘରେ ଶୋଇଥିଲେ। ସତିଆ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ସଂପୃକ୍ତ ମହିଳା ବିରୋଧ କରି ପାଟି କରିବାରୁ ସତିଆ ତାଙ୍କ ପାଟିକୁ ଜାବୁଡ଼ିଧରି ମାଡ଼ ମାରିଥିଲା। ଫଳରେ ତାଙ୍କ ମୁହଁରେ କ୍ଷତ ସୃଷ୍ଟି ହୋଇଛି। ପାଟି ଶୁଣି ପାଖ ପଡ଼ୋଶୀ ଚାଲିଆସିବାରୁ ଅଭିଯୁକ୍ତ ସତିଆ ଖସିଯିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଲୋକମାନେ ତାକୁ କାବୁ କରି ବାନ୍ଧିପକାଇ ମାଡ଼ ମାରିଥିଲେ। ଖବର ପାଇ ଉଦଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଅଭିଯୁକ୍ତକୁ ଥାନାକୁ ଆଣିବାକୁ ଉଦ୍ୟମ କରିଥିଲା। ଗ୍ରାମବାସୀ ଏହାର ସମାଧାନ କରିବେ ବୋଲି କହିବାରୁ ପୁଲିସ ଫେରି ଯାଇଥିଲା। ସକାଳ ହେଇଗଲା ହେଲେ ଗାଁ ବୈଠକରେ ସମାଧାନ ହେଇପାରିଲାନି।
ସକାଳୁ ଉଦଳା ଥାନା ଆଇଆଇସି ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରିଥିଲା। ମହିଳାଙ୍କ ଏତଲାକ୍ରମେ ୧୫୯/୧୭ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସତ୍ୟେନ୍ଦ୍ର ପଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ତାଙ୍କ ପରିବାର ପକ୍ଷରୁ ମଧ୍ୟ ଗ୍ରାମବାସୀଙ୍କ ବିରୋଧରେ ଥାନାରେ ଏକ ପାଲଟା ଏତଲା ଦିଆଯାଇଛି। ଏ ସଂକ୍ରାନ୍ତରେ ୧୬୦/୧୭ ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ଘଟଣାଦିନ ରାତିରେ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ଗ୍ରାମବାସୀଙ୍କ ହାତରେ ତାକୁ ଛାଡ଼ିଦେବା ଓ ପରଦିନ ପୁଣି ପାଲଟା ଏତଲାକ୍ରମେ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରିବା ଘଟଣା ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।