ଗଣଶିକ୍ଷା ବିଭାଗର ବେପରୁଆ ମନୋଭାବ, ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ବେଖାତିର

ବାରିପଦା: ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ମଧ୍ୟ ମାନୁନି ଗଣଶିକ୍ଷା ବିଭାଗ। ବେଆଇନ ଭାବେ ଦୁର୍ନୀତିରେ ଲିପ୍ତ ଥିବା ଜଣେ ତତ୍କାଳୀନ ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ) ଏବଂ ତାଙ୍କୁ ସୁରକ୍ଷା ଦେଇଥିବା ତତ୍କାଳୀନ ଜଣେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମାନ୍ୟବର ଲୋକାୟୁକ୍ତ ଚଳିତ ବର୍ଷ ମାର୍ଚ୍ଚ ୨୦ରେ ବିଭାଗୀୟ ସଚିବଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାରେ ଅହେତୁକ ବିଳମ୍ବତା ଅଭିଯୁକ୍ତଙ୍କୁ ସହଜରେ ସରକାରୀ ଚାକିରୀରୁ ଅବସର ନେବାରେ ବେଶ ସହାୟକ ହେଲା। ଯାହାକି ଗଣଶିକ୍ଷା ବିଭାଗର ବେପରୁଆ ମନୋଭାବ ଏବଂ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବାର ନଗ୍ନ ଉଦାହରଣ।

ଉଲ୍ଲେଖଯୋଗ୍ୟ ଯେ ଗତମାସ ୩୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ବିଇଓ ଭାବେ ଅବସର ନେଇଛନ୍ତି ବଦ୍ରିନାରାୟଣ ଦତ୍ତ। ମାତ୍ର ତାଙ୍କ ବିରୋଧରେ ୨୦୧୭-୧୮ରେ ୨ଲକ୍ଷ୨୩ହଜାର୫୩୬ ଟଙ୍କାର ସରକାରୀ ଅର୍ଥ ତୋଷାରପାତର ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଆଧାରରେ ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୨୩ ଅଗଷ୍ଟ ୨୦୧୮ରେ ଚିଠି ନଂ-୯୨୬୫(୨)ରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟରେ ବେଆଇନ ଭାବେ ଶ୍ରୀ ଦତ୍ତ ସରକାରୀ ଅର୍ଥକୁ ହଡ଼ପ କରିଥିବା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା। ମାତ୍ର ଏହି ରିପୋର୍ଟ ଉପରେ ଗଣଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଅଥଚ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବାକୁ ଭରପୁର ପ୍ରୟାସ କରିଥିଲେ। ଫଳରେ ବାରିପଦାର ବରିଷ୍ଠ ନାଗରିକ ରତିକାନ୍ତ ଗିରି ଏନେ  ମାନ୍ୟବର ଲୋକୟୁକ୍ତଙ୍କ ଅଦାଲତରେ ଏଲୱାଇ-୭୪/୨୦୧୯ରେ ଏକ ମାମଲା ଦାୟର କରିଥିଲେ।

ଏହାପରେ ଗଣଶିକ୍ଷା ବିଭାଗକୁ ନୋଟିସ୍ ଜାରି କରାଯାଇଥିଲା। ନୋଟିସ୍ ପାଇବା ପରେ ବିଭାଗ ପକ୍ଷରୁ ଆରୋପୀ ବିଇଓ ବଦ୍ରିନାରାୟଣ ଦତ୍ତ ଏବଂ ତାଙ୍କୁ ସୁରକ୍ଷା ଦେଇଥିବା ତତ୍କାଳୀନ ଡିଇଓ ଫୁଲମଣି ମୁର୍ମୁଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରସିଡିଂ ଆରମ୍ଭ ହୋଇଥିବା ଲୋକାୟୁକ୍ତଙ୍କୁ ଉତ୍ତର ପ୍ରଦାନ କରାଯାଇଥିଲା। ଗଣଶିକ୍ଷା ବିଭାଗ ନିକଟରୁ ଏପରି ଉତ୍ତର ପାଇବା ପରେ ଚଳିତ ବର୍ଷ ମାର୍ଚ୍ଚ ୨୦ରେ ମାନ୍ୟବର ଲୋକାୟୁକ୍ତ ଏହି ମାମଲାରେ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶାନାମା ଅନୁଯାୟୀ ଗଣଶିକ୍ଷା ବିଭାଗ ଯଦି ୨୦୧୮ ଅଗଷ୍ଟରେ ତତ୍କାଳୀନ ମୟୂରଭଞ୍ଜ ଡିଇଓ’ଙ୍କ ରିପୋର୍ଟ ଉପରେ ଉକ୍ତ ଦୁଇ ଆରୋପୀଙ୍କ ବିରୋଧରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଭଲ ହୋଇଥାଆନ୍ତା । ଯଦିଓ ବିଳମ୍ବ ହୋଇଛି ତଥାପି ଦୁଇ ଆରୋପୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଗଣଶିକ୍ଷା ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ମଧ୍ୟ ବାଏଁ ବାଏଁ ଉଡ଼େଇଦେଇଛି ବିଭାଗ।

ସମ୍ବନ୍ଧିତ ଖବର