ଖୁଣ୍ଟୁଣୀରେ ରାଜ୍ୟର ପ୍ରଥମ ଆଦର୍ଶ କଏଦୀ କାରାଗାର ଉଦ୍‌ଘାଟିତ

୨୮ ଏକର ଜମିରେ କାରାଗାର ନିର୍ମାଣ, ଖର୍ଚ୍ଚ ୧୫ କୋଟି; ୨୦ ୱାର୍ଡରେ ରହିବେ ୫୦୦ ଦୋଷୀ ସାବ୍ୟସ୍ତ ଅପରାଧୀ ୪୦ ଶଯ୍ୟାର ଅତ୍ୟାଧୁନିକ ଡାକ୍ତରଖାନା, ପୃଥକ୍‌ ଡାଇନିଂ ହଲ୍‌; କମ୍ପ୍ୟୁଟର୍‌ ଶିକ୍ଷାଦାନ ନିମନ୍ତେ ସ୍କୁଲଗୃହ, ସ୍ୱାବଲମ୍ବୀ ହେବା ପାଇଁ ୩ହଜାର ବର୍ଗଫୁଟର ଇଣ୍ଡଷ୍ଟ୍ରି ହଲ୍‌

ଖୁଣ୍ଟୁଣୀ: କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ଖୁଣ୍ଟୁଣୀ  ରାଧାରମଣପୁରରେ ଦୋଷୀ ସାବ୍ୟସ୍ତ କଏଦୀଙ୍କ ପାଇଁ ରାଜ୍ୟର ପ୍ରଥମ ଆଦର୍ଶ କଏଦୀ କାରାଗାର (ମଡେଲ୍‌ କନ୍‌ଭିକ୍ଟ ପ୍ରିଜନ୍‌) ଉଦ୍‌ଘାଟିତ ହୋଇଯାଇଛି। ଜେଲ୍‌ ବିଭାଗ ପକ୍ଷରୁ ୨୮ ଏକର ପରିମିତ ଜମିରେ ୧୫କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି କାରାଗାରକୁ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍‌ଘାଟନ କରିଛନ୍ତି। ଏହି ବହୁମୁଖୀ କାରାଗାରରେ ସଜା ଭୋଗୁଥିବା କଏଦୀମାନଙ୍କ ମାନସିକ ଓ ଚାରିତ୍ରିକ ଗୁଣକୁ ବଦଳାଇବାରେ ସହାୟକ ହେବ ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି। କୋଭିଡ୍‌ କଟକଣା ଯୋଗୁଁ ନିରାଡ଼ମ୍ବର ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଗୃହ, ଶକ୍ତି, ଶିଳ୍ପ, କ୍ଷୁଦ୍ରଶିଳ୍ପ ଓ ଲଘୁ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଭର୍ଚୁଆଲ୍‌ ମୋଡ୍‌ରେ ଯୋଗ ଦେଇଥିଲେ। କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଜେଲ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଅତିଥି ଭାବରେ ଯୋଗ ଦେଇଥିଲେ।

ପ୍ରକାଶଥାଉ କି, ଖୁଣ୍ଟୁଣୀର ରାଧାରମଣପୁରରେ ଦୋଷୀ ସାବ୍ୟସ୍ତ କଏଦୀଙ୍କ ପାଇଁ ଜେଲ୍‌ ନିର୍ମାଣ କରିବା ନିମନ୍ତେ ୨୦୧୪ ମସିହାରେ ରାଜ୍ୟ ସରକାର ଜେଲ ବିଭାଗକୁ ୨୮ଏକର ଜମି ପ୍ରଦାନ କରିଥିଲେ। ଏହାର ନିର୍ମାଣ ଦାୟିତ୍ୱ ନେଇଥିବା ଓଡ଼ିଶା ରାଜ୍ୟ ପୁଲିସ୍‌ ହାଉସିଂ ଆଣ୍ଡ ୱେଲ୍‌ଫେୟାର୍‌ କର୍ପୋରେସନ୍‌ ୨୦୧୪ ସେପ୍ଟେମ୍ବର ୫ ତାରିଖରେ ନିର୍ମାଣ ଆରମ୍ଭ କରି ୨୦୧୮ ନଭେମ୍ବର ୨୦ତାରିଖରେ କାର୍ଯ୍ୟ ଶେଷ କରିଥିଲା। ଜେଲ୍‌ ନିର୍ମାଣ ପାଇଁ ୧୧କୋଟି ୯୩ଲକ୍ଷ ଟଙ୍କା ଏବଂ ଜେଲ ଅଧିକାରୀ ଓ କର୍ମଚାରୀଙ୍କ କ୍ବାର୍ଟର୍ସ ନିର୍ମାଣ ପାଇଁ ୩କୋଟି ୩ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ଏହି କାରାଗାରରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪୫୦ ପୁରୁଷ ଓ ୫୦ଜଣ ମହିଳା କଏଦୀ ରହିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୮ଟି ପୁରୁଷ କଏଦୀ ୱାର୍ଡ ଓ ୨ଟି ମହିଳା କଏଦୀ ୱାର୍ଡ ନିର୍ମାଣ କରାଯାଇଛି। ପ୍ରତି ୱାର୍ଡରେ ୨୫ଜଣ ଲେଖାଏଁ କଏଦୀ ରହିପାରିବେ। କଏଦୀଙ୍କ ଚିକିତ୍ସା ପାଇଁ ୪୦ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ହସ୍ପିଟାଲ ଖୋଲାଯାଇ ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟଙ୍କୁ ନିଯୁକ୍ତ କରାଯାଇଛି।

ଏହାସହ ଜେଲ୍‌ରେ ୧୨ଟି ସ୍ୱତନ୍ତ୍ର ଆଇସୋଲେସନ୍‌ ସେଲ୍‌, କିଚେନ୍‌ ରୁମ୍‌, କଏଦୀଙ୍କ ପାଇଁ ପୃଥକ୍‌ ଡାଇନିଂ ହଲ୍‌,  ୬୦ରୁ ଅଧିକ ଶୌଚାଳୟ, କଏଦୀଙ୍କୁ କମ୍ପ୍ୟୁଟର୍‌ ଶିକ୍ଷାଦାନ ନିମନ୍ତେ ସ୍କୁଲଗୃହ, ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩ହଜାର ବର୍ଗଫୁଟର ଇଣ୍ଡଷ୍ଟ୍ରି ହଲ୍‌ କରାଯାଇଛି। ଏଠାରେ କୌଣସି ବିଚାରାଧୀନ ବନ୍ଦୀ ରହି ପାରିବେ ନାହିଁ। ଜେଲକୁ ଆସୁଥିବା କଏଦୀଙ୍କ ଚରିତ୍ରରେ ସୁଧାର ଆଣି ସେମାନଙ୍କ ଦକ୍ଷତାର ବିକାଶ ଦିଗରେ ଧ୍ୟାନ ଦିଆଯିବ। ଏଠାରୁ ମୁକୁଳିବା ପରେ ସେମାନେ ଅପରାଧ ଦୁନିଆକୁ ନ ଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆତ୍ମସମ୍ମାନର ସହ ଜୀବିକାନିର୍ବାହ କରିବା ଏହି ଆଦର୍ଶ କାରାଗାରର ମୁଖ୍ୟ ଲକ୍ଷ୍ୟ ବୋଲି ଜେଲ ବିଭାଗ ଡିଜି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମକୁ ଜେଲ୍‌ ଅଧୀକ୍ଷକ ସୌଭାଗ୍ୟ ରଞ୍ଜନ ବଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର