ବେଧଡ଼କ ଚାଲିଛି ପଲିଥିନ୍ ବେପାର, କଟକଣା କାମ କରୁନି

ନବରଙ୍ଗପୁର: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ପଲିଥିନ ବ୍ୟବହାର ନିଷେଧ କରାଯାଇଥିଲା। ଏଥିପାଇଁ ଜୁନ୍ ମାସରୁ ପ୍ରସ୍ତୁତି ଆରମ୍ଭ ହୋଇ ସଚେତନତା କାର୍ଯ୍ୟକ୍ରମ କରି ଚଢ଼ାଉ ଆରମ୍ଭ କରାଯାଇଥିଲା। ବଜାରରେ ପଲିଥିନ୍ ବ୍ୟବହାର ଉପରେ କଟକଣା ଲାଗିବା ପରେ ଏହାର ବିକଳ୍ପ ଆସିବ ବୋଲି ସମସ୍ତେ ନିଶ୍ଚିତ ହୋଇଯାଇଥିଲେ। ଆରମ୍ଭରେ ଏହି ନିୟମ କଡାକଡି ପାଳନ କରାଗଲା। ଫଳରେ ଦୋକାନୀ ମାନେ ଚିନ୍ତାରେ ପଡିଯାଇଥିଲେ। କିଛି ଦିନ କାଗଜ ଠୁଙ୍ଗା ବ୍ୟବହାର ହେବାରୁ ଲୋକେ ପୂର୍ବ ସ୍ମୃତିକୁ ଦୋହରାଇବାକୁ ସକ୍ଷମ ହୋଇଥିଲେ। ହେଲେ କିଛିଦିନ ପରେ ପୁଣି ପୂର୍ବ ଅବସ୍ଥାକୁ ଫେରିଆସିଛି।

ବର୍ତ୍ତମାନ ମାଛ, ମାଂସ ଠାରୁ ଆରମ୍ଭ କରି କିରାନି ଜିନିଷ, ପନିପରିବା ଓ ଫଳ ପର୍ଯ୍ୟନ୍ତ ସବୁଠି ପଲିଥିନ୍ ବହୁଳ ବ୍ୟବହାର ହେଉଛି। ନବରଙ୍ଗପୁର ପୌର ପରିଷଦ ପକ୍ଷରୁ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରିବା ସହ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ପଲିଥିନ ବ୍ୟବହାର ଦ୍ବାରା ଶରୀର ଓ ପରିବେଶ ଉପରେ କଣ କୁପ୍ରଭାବ ପକାଇଥାଏ କୁହାଯାଇଥିଲା। ହୋଲସେଲର ବେପାରୀ ମାନଙ୍କୁ ସେମାନଙ୍କ ଗଛିତ ପଲିଥିନ ଗୁଡିକୁ ଫେରାଇ ଦେବା ପାଇଁ ତାଗିଦ କରିବା ସହ ସମୟ ଦିଆଯାଇଥିଲା। ଅବସ୍ଥାରେ ସୁଧାର ନଆସିବାରୁ ପ୍ରାୟ ୪୦ଟି ଦୋକାନ ଉପରେ ଚଢ଼ାଉ କରାଯାଇ ପଲିଥିନ ଜବତ କରିବା ସହ ପ୍ରାୟ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ତଥାପି ଏବେ ପୁଣି ପୂର୍ବବତ୍ ପଲିଥିନ ବ୍ୟବହାର ହେଉଛି। ଗତ ଜୁନ୍ ୫ ତାରିଖ ବିଶ୍ବ ପରିବେଶ ଦିବସ ଅବସରରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପୌରପାଳିକା ପକ୍ଷରୁ ପଲିଥିନ ବ୍ୟବହାର ଉପରେ ଯେଉଁମାନେ ନିୟମ ନମାନିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେତେବେଳେ କୁହାଯାଇଥିଲା।

ବର୍ତ୍ତମାନ ସେହି ନିୟମ କେବଳ କାଗଜ କଲମରେ ସୀମିତ ଭଳି ମନେ ହେଉଛି। ୪୦ ମାଇକ୍ରୋନ୍ ଠାରୁ ଅଧିକ ମୋଟେଇର ପଲିଥିନ ବିକ୍ରୀ କରିବା ପାଇଁ ବ୍ୟବସାୟୀ ମାନେ ପୌରପାଳିକା ନିକଟରେ ପଞ୍ଜିକରଣ କରିବା ପାଇଁ ନିୟମ କରାଗଲା। ତେବେ ନବରଙ୍ଗପୁର ସହରରେ ୧୦ ଜଣ ବ୍ୟବସାୟୀ ପଞ୍ଜିକୃତ କରିଛନ୍ତି। ନିକଟରେ ଅନୁଷ୍ଠିତ ମଣ୍ଡେଇ ମହୋତ୍ସବରେ ବି ପଲିଥିନ ବ୍ୟବହାର ଉପରେ ଅଙ୍କୁଶ ଲାଗିପାରିଲା ନାହିଁ। ମଣ୍ଡେଇ ଶେଷ ହେବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ମଣ୍ଡେଇ ପଡିଆରୁ ପଲିଥିନ ଉଠିପାରି ନାହିଁ। ପଲିଥିନ ବ୍ୟବହାରକୁ ସମ୍ପୁର୍ଣ୍ଣ ରୋକିବା ପାଇଁ ଅଣ୍ଟା ଭିଡିଥିବା ପୌର ପ୍ରଶାସନ ବର୍ତ୍ତମାନ ସୁଦ୍ଧା ସଫଳ ହୋଇନଥିବାରୁ ଏହାର କୂପ୍ରଭାବ ସାଧାରଣ ଜନଜୀବନ ଉପରେ ପଡିଛି। କେବଳ ନବରଙ୍ଗପୁର ସହର ନୁହେଁ ଜିଲ୍ଲାର ସବୁ ଅଞ୍ଚଳରେ ପଲିଥିନ ବ୍ୟବହାର ଚାଲିଥିବା ଜଣାପଡିଛି। ତୁରନ୍ତ ପଲିଥିନ ବ୍ୟବସାୟ ବନ୍ଦ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର