ଦୁଷ୍କର୍ମ ଉଦ୍ୟମ ପରେ ପଙ୍କରେ ପୋତିଦେଲେ

ନୟାଗଡ଼ : ନୟାଗଡ଼ ସଦର ଥାନା ଅନ୍ତର୍ଗତ କ୍ରିଦାଶପୁରରେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ତାଙ୍କୁ ପଙ୍କରେ ପୋତି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସେ ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ବାରିକ କହିଛନ୍ତି।

ମହିଳାଙ୍କ ଅଭିଯୋଗ ମୁତାବକ, ସେ ଅପରାହ୍ଣ ପ୍ରାୟ ୪ଟାରେ ବିଲକୁ ଯାଇଥିଲେ। ଏହି ସମୟରେ ବିଲ ପାଖରେ ଛିଡ଼ା ହୋଇଥିବା ତାଙ୍କ ଗାଁର ପ୍ରକାଶ ତାଙ୍କୁ ପାଖକୁ ଡାକିଥିଲା। ସେ ପାଖକୁ ଆସିବାରୁ ତାଙ୍କୁ ଜୋର୍‌ ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲା। ପାଟି କରିବାରୁ ପାଟିରେ ଏକ କପଡ଼ା ଭର୍ତ୍ତି କରିଦେବା ସହ ତଣ୍ଟିକୁ ଚିପି ଦେଇଥିଲା। ପରେ ଚାଷ ଜମିରେ ପଙ୍କରେ ମୁହଁକୁ ମାଡ଼ି ମାରିଦେବାକୁ ଚେଷ୍ଟା କରିଥିଲା। ତଣ୍ଟିକୁ ଜୋର୍‌ରେ ଚିପି ଧରିବାରୁ ମହିଳାଜଣକ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ମରିଯାଇଥିବା ଭାବି ପ୍ରକାଶ ବିଲ ପଙ୍କ ଭିତରେ ତାଙ୍କୁ ପୋତି ଦେଇ ଘଟଣାସ୍ଥଳରୁ ଖସି ପଳାଇ ଆସିଥିଲା।

ଘଟଣାର ଘଣ୍ଟାକ ପରେ ଚେତା ଫେରିବାରୁ ଗୁରୁତର ମହିଳାଜଣକ ପାଖ ରାସ୍ତା ଦେଇ ଯାଉଥିବା ଜନୈକ ବ୍ୟକ୍ତିଙ୍କୁ ଡାକିଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ଗାଁକୁ ଅଣାଯାଇଥିଲା। ପରେ ୧୦୮ ଆମ୍ବୁଲାନ୍‌ସ ଯୋଗେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସେପଟେ ଯୁବକ ଜଣକ ଏହି ଘଟଣା ଘଟାଇବା ପରେ କେଉଁଆଡ଼େ ଫେରାର୍‌ ହୋଇଯାଇଛି। ଘଟଣାସ୍ଥଳରେ ଯୁବକର ସାର୍ଟ ଓ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର