ଅନ୍ଧାରରେ ସୁଡ୍ରେଜୁ ପଞ୍ଚାୟତର ୯ଟି ଗାଁ , ଏବେ ବି ଡିବିରି ଆଲୁଅ ଭରସା

ଖଜୁରୀପଡ଼ା : ସଞ୍ଜ ନଇଁଲେ ଗ୍ରାମରେ ଅନ୍ଦାର ରାଜୁତି । ଏବେ ବି ଗ୍ରାମବାସୀ ଡ଼ିବିରି ଆଲୁଅକୁ ଭରସା କରୁଛନ୍ତି। ଖଜୁରୀପଡ଼ା ବ୍ଲକ୍‌ ସୁଡ଼ରେଜୁର କୁମ୍ଭାଝରି, ବରପଡା, ପ୍ରାଙ୍ଗାପଡା, ସୁଜାପାଜୁ, ଜାର୍ଗୀସରୁ, ଗୁଦାବାରି, ଶ୍ରମ୍ବିପଡା, ଜଗିମଠ, ଡଙ୍ଗାବସା, ବାଡିଗୁଡା ଓ ବାଡ଼ିମୁଣ୍ଡା ଗ୍ରାରେ ଲୋକଙ୍କ ପାଇଁ ବିଜୁଳି ସାତସପନ ହୋଇଛି । ଏହି ପଞ୍ଚାୟତର ୯ଟି ଗ୍ରାମରେ ୨୦୦ ପରିବାର ପାଞ୍ଚଶହରୁ ଅଧିକ ଲୋକ ବସବାସ କରନ୍ତି । ଲୋକଙ୍କ ଦାବି ଫଳରେ ସରକାରୀଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟୁତ ଆଲୋକ ଯୋଗାଇ ଦିଆଯାଇଥିଲା । ବିଜୁଳି ଆଲୁଅ ପାଇ ଗାଁ ଲୋକେ ଖୁସି ହୋଇଯାଇଥିଲେ । ହେଲେ ଲୋକଙ୍କ ଖୁସି ବେଶି ଦିନ ରହିଲା ନାହିଁ। ମାତ୍ର ଦିନ କେଇଟା ପରେ ପ୍ରବଳ ଘଡ଼ଘଡି ଓ ପବନ ସାଙ୍ଗକୁ ବର୍ଷାରେ ଟ୍ରାନ୍ସଫର୍ମର ପୋଡି ଯାଇଥିଲା। ଟ୍ରାନ୍ସଫର୍ମର ମରାମତି କରିବା ଲାଗି ଗ୍ରାମବାସୀ ଦାବି କରିଥିଲେ ମଧ୍ୟ ଫଳ ଶୁନ୍। ଏବେ ପୁଣି ଗ୍ରାମବାସୀଙ୍କ ପାଇଁ ଅନ୍ଧାର ଆସିଯାଇଥିବା ବେଳେ ବିଜୁଳି ସପନ ହୋଇ ରହିଯାଇଛି । ବିଜୁଳି ଆଲୋକ ଯୋଗାଇବା ପାଇଁ ଯେଉଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ତାହା ପାଣି ରେ ପଢିଲା ବୋଲି ଗ୍ରାମବାସୀ କହିଛନ୍ତି । ଏଥି ପ୍ରତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର