ହାତୀ ଆକ୍ରମଣରେ ଗାଈ ଚରାଳି ମୃତ, ୧୪ଦିନ ମଧ୍ୟରେ ଦୁଇ ଜଣଙ୍କୁ କଚାଡ଼ି ମାରିଲାଣି

ଗୁଣପୁର: ରାୟଗଡ଼ା ଜିଲ୍ଲାର ଗୁଣପୁର ବନା‌ଞ୍ଚଳରେ ପୁଣି ଜଣଙ୍କୁ କଚାଡ଼ି ମାରିଛି ହାତୀ। ମୃତକ ଜଣକ ଗୁଣପୁର ଉଠାଜଳସେଚନ କଲୋନିର ଗାଈ ଚରାଳି ରମେଶ ଗୌଡ଼(୪୨) ବୋଲି ଜଣା ପଡ଼ିଛି। ଗତ ୧୪ଦିନ ମଧ୍ୟରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁଯାୟୀ, ରମେଶ ଗୌଡ଼ ଆଜି ସକାଳେ ମଇଁଷି ଚରାଇବା ପାଇଁ ଗୁଣପୁର ନିକଟସ୍ଥ ଚାଲକମ୍ବା ଅଞ୍ଚଳକୁ ଯାଇଥିଲେ। ଏହି ଅଞ୍ଚଳରେ ହାତୀପଲ ଚଳପ୍ରଚଳ କରୁଥିବାରୁ ଜଙ୍ଗଲ ଭିତରକୁ ନ ଯିବା ପାଇଁ ବନ ବିଭାଗ କର୍ମଚାରୀ ରମେଶଙ୍କୁ ବାରଣ କରିଥିଲେ। ତଥାପି ହାତୀ ଦେଖିବା ପାଇଁ ରମେଶ ଲୁଚି ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଜଙ୍ଗଲ ଭିତରେ ଥିବା ହାତୀ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ରମେଶଙ୍କ ମୃତ୍ୟୁ ହୋଇ ଯାଇଥିବା ଗୁଣପୁର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପରେ ବନ ବିଭାଗ କର୍ମଚାରୀ ଶବ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସରକାରୀ ନିୟମ ଅନୁଯାୟୀ ମୃତ ରମେଶଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପ୍ରକାଶ ଥାଉକି, ମାର୍ଚ୍ଚ ୨୩ ତାରିଖରେ ଚାଲକାମ୍ବା ଗ୍ରାମର ଗଦାଧର ସେନାପତି ଗୁଣପୁରରୁ ପରିବା କିଣି ଘରକୁ ଫେରୁଥିବା ବେଳେ ରୁପାପଦର ଗ୍ରାମ ନିକଟରେ ବୁଲୁଥିବା ହାତୀପଲ ଦେଖିବାକୁ ଯାଇଥିଲେ। ଗଦାଧର ହାତୀଙ୍କ ନିକଟକୁ ଯାଇ ଘଉଡ଼ାଇବା ପାଇଁ ଉଦ୍ୟମ କରିବାରୁ ହାତୀପଲ ତାଙ୍କୁ ଗୋଡ଼ାଇଥିଲେ।

ଦୌଡ଼ିବା ସମୟରେ ଗଦାଧର ତଳେ ପଡ଼ି ଯିବା ପରେ ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ଘଟିଥିଲା। ସୂଚନା ଯୋଗ୍ୟ ଯେ ଗତ ୪ମାସ ହେଲା ଏହି ହାତୀପଲ ଗୁଣପୁର ବ୍ଲକର ତରାମାଲ, ଫୁଲପୁଟି, ଜଲତାର ଏବଂ ରୁପାପଦର ଅଞ୍ଚଳରେ ଚଳପ୍ରଚଳ କରୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେଣୁ ହାତୀପଲକୁ ଘଉଡ଼ାଇବା ସହ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ନ ଯିବା ନିମନ୍ତେ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରିବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ଅସାବଧାନତା ସହ ଲୋକେ ହାତୀପଲ ନିକଟକୁ ଯିବା ପାଇଁ ଉଦ୍ୟମ କରୁଥିବାରୁ ହାତୀପଲ ହିଂସ୍ର ହୋଇ ଉଠିଥିବା ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର